ବଲାଙ୍ଗୀର:ଦେଶ ସ୍ବାଧୀନ ହେବା ପଛରେ ଅନେକ ବୀର ସ୍ବାଧୀନତା ସଂଗ୍ରାମୀ ସଂଗ୍ରାମ କରିଛନ୍ତି । ସେହି ସଂଗ୍ରାମୀଙ୍କ ବଳିଦାନ ପାଇଁ ଆମେ ସ୍ବାଧୀନତାର ସ୍ବାଦ ଚାଖିଛୁ । ସେମିତି ଜଣେ ସଂଗ୍ରାମୀ ହେଉଛନ୍ତି ଧରମ ସିଂହ ମାନ୍ଧାତା । ମନେ ହେଉଛି ଆଜି ବଲାଙ୍ଗୀର ଇତିହାସରୁ ଯେପରି ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧାତା ହଜି ଯାଇଛନ୍ତି । ତାଙ୍କର ଗାଥା କେବଳ ପାଟଣା ଗେଜେଟରେ ସୀମିତ ଥିବା ବେଳେ ଇତିହାସରେ ତାଙ୍କୁ ସ୍ଥାନ ମିଳି ପାରି ନାହିଁ । ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଉଚିତ ସମ୍ମାନ ଓ ଲୋକ ଲୋଚନକୁ ଆଣିବାକୁ ପାଇଁ ଅଣ୍ଟା ଭିଡ଼ିଛି ଭିମ ପାହାଡ଼ କମିଟି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରିଛି କମିଟି ।
ବଲାଙ୍ଗୀର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧାତା । ଦିନେ ବ୍ରିଟିଶ ବିରୋଧରେ ଲଢ଼ି ସେ ଶହୀଦ ହୋଇଥିଲେ । ହେଲେ ଇତିହାସରେ ତାଙ୍କୁ ସ୍ଥାନ ମିଳିନାହିଁ । ତାଙ୍କର ବଳିଦାନକୁ କିନ୍ତୁ ସ୍ଥାନୀୟ ଲୋକେ ମନେ ରଖିଛନ୍ତି । ତାଙ୍କୁ ସବୁଠି ସ୍ୱୀକୃତି ଦିଆଯାଉ ବୋଲି ଏମାନେ ଦୀର୍ଘ ବର୍ଷରୁ ଦାବି କରି ଆସୁଛନ୍ତି । ବଲାଙ୍ଗୀର ଭିମ୍ ପାହାଡ଼ କମିଟି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବି ପତ୍ର ଦେଇଛନ୍ତି । ତାଙ୍କର କର୍ମ ସ୍ଥଳୀରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ଦାବି କରିଛନ୍ତି । ବଲାଙ୍ଗୀରର ଆଠଗାଁ ଜମିନଦାର ଥିବା ବେଳେ 1854 ମସିହାରେ କନ୍ଧ ନେତା ରିଣ୍ଡୋ ମାଝୀ ଓ ଚକ୍ରା ବିଶୋଇଙ୍କ ସହିତ ମିଶି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ । ଏହାର ମୁକ ସାକ୍ଷୀ ବଲାଙ୍ଗୀର ଭିମ ପାହାଡ଼ । ଯେଉଁଠି ଥିବା ପ୍ରାକୃତିକ ଗୁମ୍ଫାମାନ ଥିଲା ଚକ୍ରା ବିଶୋଇ ଓ ଧରମ ସିଂହ ମାନ୍ଧାତା କର୍ମସ୍ଥଳୀ । ଏଠି ଏମାନେ ଘର କରି ଇଂରେଜ ବିରୋଧରେ ଲଢେଇ କରୁଥିଲେ ।