ବଲାଙ୍ଗୀର:ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ବଡ ସଫଳତା । ବଲାଙ୍ଗୀରରେ ମାଓବାଦୀ ସକ୍ରିୟ ଥିବା ବେଳେ ଆଜି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଦୁଇ ମାଓବାଦୀ ମହିଳା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 2 ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ପାଖାପାଖି ଅଧଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ମୃତ ମାଓବାଦୀଙ୍କ ନିକଟରୁ 2ଟି ରାଇଫଲ୍ ଜବତ କରିଛି ପୋଲିସ । ତେବେ ଚିହ୍ନଟରୁ ଜଣାପଡିଛି ଯେ ମୃତ ମହିଳା ମାଓବାଦୀଙ୍କ ଘର ଛତିଶଗଡ଼ରେ । ଉଭୟ ବଲାଙ୍ଗୀର ବରଗଡ ଡିଭିଜନର କ୍ୟାଡର ଥିଲେ । ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଚାଲିଛି । 2ଜଣ ମାଓବାଦୀଙ୍କ ଉପରେ 4ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଘଟଣା ସ୍ଥଳରେ 5ଟି ଏସଓଜି ଟିମ ନିୟୋଜିତ ଥିଲେ । ସ୍ଥାନିୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।