ବଲାଙ୍ଗୀର:ମାତିଛନ୍ତି ସାଇବର ଲୁଟେରା । ଫେସବୁକରେ ସାମଗ୍ରୀ କିଣିବା ପଡ଼ିଲା ମହଙ୍ଗା । ନିମିଷକ ମଧ୍ୟରେ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ଏଭଳି ଠକାମୀର ଶିକାର ହୋଇଛନ୍ତି ବଲାଙ୍ଗୀର ଜଣେ ବ୍ୟକ୍ତି । ଏନେଇ ଘଟଣାର ତଦନ୍ତ ପରେ ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ବଲାଙ୍ଗୀର ଖପ୍ରାଖୋଲ ନିବାସୀ ଗଣେଶ ପ୍ରଧାନଙ୍କ ସ୍ତ୍ରୀ ଫେସବୁକରେ ପାଣି ଟାପ୍ ଦେଖି ସେଥିରୁ ସେ ଅର୍ଡର କରିଥିଲେ । ସେହିପରି ଅର୍ଡରର କିଛି ଦିନ ମଧ୍ୟରେ ଟାପ ଆସିଥିଲା । ହେଲେ ଫଟୋ ଦେଇଥିବା ଟାପ ବଦଳରେ ଅତି ନିମ୍ନ ମାନର ପାଣି ଟାପ୍ ଆସିଥିଲା । ତେବେ ତାକୁ ସେ ଫେରସ୍ତ ପାଇଁ ସମ୍ପୃକ୍ତ ଆକାଉଣ୍ଟକୁ ଯାଇ କଷ୍ଟମର କେୟାରକୁ ଫୋନ କରିଥିଲେ । ହେଲେ ସେଠୁ ଏକ ଫର୍ମ ଭରିବା ପାଇଁ ସେମାନେ କହିଥିଲେ । ଯେଉଁଥିରେ ଏଟିଏମ ପିନ ନମ୍ୱର୍ ଦେବାକୁ କୁହାଯିବା ପରେ ଏହା ଏକ ଫ୍ରଡ ବୋଲି ଜାଣି ଥିଲେ ।
ସେପଟେ ସେହି ଠକ ମାନେ ତାଙ୍କୁ ଏହା ବଦଳରେ ଏକ ଆପ ଲୋଡ କରିବାକୁ କହିଥିଲେ । ତେବେ ସେ ଆପ ଲୋଡ କରିବା ମାତ୍ରେ ତାଙ୍କର ଫୋନ୍ ହ୍ୟାକ୍ ହେବା ସହ ଆକାଉଣ୍ଟରୁ ରୁ 99 ହଜାର ଟଙ୍କା ଲୁଟି ନେଇଥିଲେ । ସେପଟେ ଏହାକୁ ନେଇ ପୀଡ଼ିତ ବଲାଙ୍ଗୀର ସାଇବର ଥାନାରେ ଗତ ୨ ତାରିଖରେ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରା ଯାଇଥିଲା । ଯେଉଁଥିରେ ସାଇବର ଥାନା ଆଇସି ଭାରତୀ ନାଏକଙ୍କ ଅଧ୍ୟକ୍ଷତାରେ ପୋଲିସ ଅଧିକାରୀ ଆକାଶ ସାମଲ, ଲିପନ ମିଶ୍ର, ଧବଳେଶ୍ଵର ମାଝୀ ଓ ଅଭିନାଶ ନାଏକ ସାମିଲ ଥିଲେ ।