ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କେବଳ ମମିତା ମେହେର ନୁହଁ ଏଭଳି ଅନେକ ଛାତ୍ରୀ ଓ ଶିକ୍ଷୟତ୍ରୀ ଗୋବିନ୍ଦ ସାହୁର ଲୋଲୁପ ଦୃଷ୍ଟିରେ ଆସିଛନ୍ତି । ଅନେକ ନିଖୋଜ ଥିବା ବେଳେ କିଛିଙ୍କୁ ହତ୍ୟା କରାଯାଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ ।
ମମିତା ମେହେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବାପରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ତଥା କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ । ତେବେ କେବଳ ମମିତା ମେହେର ନୁହଁ ଏଭଳି ଅନେକ ଶିକ୍ଷୟତ୍ରୀ ଓ ଛାତ୍ରୀ ନିଖୋଜ ଅଛନ୍ତି କିମ୍ବା ତାଙ୍କର ହତ୍ୟା ହୋଇ ସାରିଛି । ଏହିଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀଙ୍କ ଅଭିଭାବକ । ତାଙ୍କ ଝିଅଙ୍କୁ ମଧ୍ୟ ଏହିଭଳି ହତ୍ୟା କରାଯାଇଥଲା ବୋଲି ସେ ଅଭିଯୋଗ କରିଛନ୍ତି । ନେତାମନ୍ତ୍ରୀଙ୍କ ପ୍ରଭାବରେ ଆଜି ବି ସେ ନ୍ୟାୟ ପାଇ ନାହାଁନ୍ତି ।
ବଲାଙ୍ଗୀରର ମୋତିଲାଲ ନାଏକ, ଗୋବିନ୍ଦ ସାହୁ ନାଁରେ ଆଣିଛନ୍ତି ଏଭଳି ଏକ ଅଭିଯୋଗ । ସେ 2000 ମସିହାରେ ମହଲିଙ୍ଗା ସନ୍ସାଇନ୍ ପବ୍ଲିକ ସ୍କୁଲରେ ଜଣେ ଇଂରାଜୀ ଶିକ୍ଷକ ଥିଲେ । ଝିଅ ରାଜେଶ୍ୱରୀ ନାଏକ ମଧ୍ୟ ସେହି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଗୋବିନ୍ଦ ସାହୁର ସମସ୍ତ ଅନୈତିକ କାର୍ଯ୍ୟକଳାପର ମୁକ ସାକ୍ଷୀ ଥିଲେ ମୋତିଲାଲ । ଗୋବିନ୍ଦ ସାହୁ ସ୍କୁଲର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ନେତା ମନ୍ତ୍ରୀ ତଥା ଇଞ୍ଜିନିୟର ଓ ଅନ୍ୟ ଅଧିକାରୀମାନଙ୍କ ପାଖକୁ ପଠାଇଥାଏ । ସେଠାରେ ଶିକ୍ଷୟତ୍ରୀ ବା ଛାତ୍ରୀଙ୍କ ଯୌନ ଶୋଷଣ ହେଉଥିଲା ।