ବଲାଙ୍ଗୀର:ଭାରତର ଗରିବ ଜିଲ୍ଲା ବଲାଙ୍ଗୀର ହୋଇଥିବା ବେଳେ ଏଠି ନେତା ହଜାର ହଜାର କୋଟି ଟଙ୍କାର ମାଲିକ । କୁବେର ନେତା ଗରିବ ଜନତା । ଏଭଳି ବିଚିତ୍ର ଓ ବଡ଼ ପାର୍ଥକ୍ୟ ବଲାଙ୍ଗୀରରେ ରହି ଆସିଛି । ଏହାର କାରଣ ପରିବାରବାଦ ରାଜନୀତି ବୋଲି ଅଭିଯୋଗ ଆଣିଛନ୍ତି ବିଶିଷ୍ଠ କୋଶଳ ସଂଗ୍ରାମୀ ନେତା ପ୍ରମୋଦ ମିଶ୍ର । ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଅଭିଯୋଗ ଆଣିବା ସହ ଆଗକୁ ପରିବାର ବାଦ ରାଜନୀତି ବିରୋଧରେ ଲଢେଇର କଥା କହିଛନ୍ତି ।
ତେବେ ପରିବାରବାଦ ରାଜନୀତିର କରୁଣ ପରିଣତି ଯେ ଆଜି ଭାରତର ସବୁଠୁ ଗରିବ ଜିଲ୍ଲା ଭାବରେ ପରିଗଣିତ ହେଉଛି ବଲାଙ୍ଗୀର। ଏଠିକାର ନିର୍ଦ୍ଦିଷ୍ଟ କିଛି ରାଜନୈତିକ ପରିବାର କୁବେର ଭଣ୍ଡାର ଭଳି ନିଜ ସମ୍ପତ୍ତି ହଜାର ହଜାର ଗୁଣ ବଢାଇଛନ୍ତି । ଜିଲ୍ଲାର ବିକାଶ ନାଁରେ ସେମାନେ ନିଜର ଓ ନିଜ ପରିବାରର ବିକାଶ କରିଛନ୍ତି ବୋଲି ସେ କହିଛନ୍ତି ।
1951 ମସିହାରୁ 1977 ପର୍ଯ୍ୟନ୍ତ ବଲାଙ୍ଗୀର ଲୋକେ ଭିନ୍ନ ଭିନ୍ନ ନେତା ବାଛିଥିଲେ । ଯେଉଁଥିରେ ବିକାଶର ଆଶା ଥିଲା ହେଲେ ତାହା ନ ହେବାରୁ ପରେ ବଡ ପରିବର୍ତ୍ତନ ଲୋକେ ଆଣିଥିଲେ । କଂଗ୍ରେସ ଦଳକୁ ଭରସା କରି କଂଗ୍ରେସ ନେତାକୁ ବିଜୟୀ କରିଥିଲେ । ଏହାପରେ ଲୋକେ ଦୁଇ ପରିବାର ମଧ୍ୟରେ ସୀମିତ ରହି ଯାଇଥିଲେ । ଯେଉଁଥିରେ ଗୋଟିଏ ପରିବାର 25 ବର୍ଷ ଶାସନ କଲେ ଓ ଆଉ ଗୋଟେ ପରିବାର ୧୦ ବର୍ଷ ହେବ ନିର୍ବାଚନ ଜିତି ରାଜନୀତି କରିଛନ୍ତି । ସେମାନେ ଜିଲ୍ଲା ପାଇଁ କିଛି କାମ କରି ନ ଥିବା ବେଳେ ତାଙ୍କ ପରିବାରର କିନ୍ତୁ ବିକାଶ ନିଶ୍ଚୟ କରିଛନ୍ତି । ତେବେ ଏହା ପରେ ଏବେ ଏମାନେ ତାଙ୍କର ତଳ ପିଢ଼ି ପୁଅ ବୋହୁଙ୍କୁ ଏଥିରେ ଆଗକୁ ଆଣି ପୁଣି ଏହି ଧାରା ବଜାୟ ରଖିବା ପାଇଁ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି କୋଶଳ ସଂଗ୍ରାମୀ ନେତା ।