ବଲାଙ୍ଗୀର: ମଣ୍ଡିରେ ଧାନ ଅଖାବସ୍ତାର ମହାଘୋଟାଲା । ଚାଷୀଙ୍କ ନାଁରେ ଚାଲିଛି ଲୁଟ । ପ୍ରଶାସନର ଜାଣତରେ ହେଉଛି କୋଟି କୋଟି ଟଙ୍କାର ଏହି ଦୁର୍ନୀତି । ଯାହା ମଧ୍ୟରେ ବଳି ପଡୁଛି ଚାଷୀ । ବଲାଙ୍ଗୀର ଜିଲ୍ଲାରୁ ଅଖା ଟଙ୍କା ହଡପ ଭଳି ଏକ ସାଙ୍ଗାତିକ ଅଭିଯୋଗ ପ୍ରକାଶ ପାଇଛି । ବର୍ଷେ କି ଅଧେ ନୁହେଁ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଚାଷୀଙ୍କୁ ମିଳୁନି ଅଖା ଟଙ୍କା । ମଣ୍ଡିରେ ୪ ରୁ ୮ କେଜି ଯାଏ ଧାନ କଟନୀ ଛଟନୀକୁ ଚାଷୀ ମୁଣ୍ଡ ପାତି ସହି ଯାଉଥିବାବେଳେ ଅଖା ଟଙ୍କା ନ ମିଳିବାରୁ ହତାଶ ହୋଇଛି ଚାଷୀ ।
ଖାଇଗଲେ ଅଖା ଟଙ୍କା, ହତାଶ ଚାଷୀ ନିୟମ ଅନୁସାରେ ଧାନ ବିକ୍ରି କରିବା ପରେ ଚାଷୀଙ୍କୁ ଅଖା ଫେରାଇବା କଥା । ମିଲର୍ସ ଯଦି ବସ୍ତା ଫେରାନ୍ତି ତେବେ ବସ୍ତା ପିଛା ୧୦ ଟଙ୍କା ଚାଷୀଙ୍କୁ ମିଳିବା କଥା । ହେଲେ ଅଖାବସ୍ତା ବାବଦରେ ଟଙ୍କାଟିଏ ବି ପାଉନି ଚାଷୀ ।
ଗତବର୍ଷ କେବଳ ବଲାଙ୍ଗୀରରେ ୩୪ ଲକ୍ଷ କ୍ବିଣ୍ଟାଲ ଧାନ କିଣା ଯାଇଥିଲା । ଯେଉଁଥିରେ ଚାଷୀ ଅଖାର ମୂଲ୍ୟ ହେବ ପ୍ରାୟ ୭ କୋଟି ଟଙ୍କା । ଏହି ହିସାବରେ ଗତ ୧୫ ବର୍ଷ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇ ସାରିଲାଣି । ଏନେଇ ମଣ୍ଡିରେ ଚାଷୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କିଛି ଲାଭ ମିଳୁନି । ଅଖା ଟଙ୍କା କିଏ ଦେବ ତାହା ଜିଲ୍ଲାପାଳ ହିଁ ନିଷ୍ପତି ନେଇଥାନ୍ତି । ହେଲେ ଜିଲ୍ଲାପାଳ ସେହି ନିଷ୍ପତି ନେବାକୁ କାହାକୁ ଅପେକ୍ଷା କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ପରୋକ୍ଷରେ ଘଟଣାକୁ ସ୍ବୀକାର କରିଛନ୍ତି ଜିଲ୍ଳା ଯୋଗାଣ ଅଧିକାରୀ ବିକ୍ରମ ମାଝୀ । ମିଲର୍ସ ଫଟା ବସ୍ତା ଦେଉଥିବାରୁ ଚାଷୀ ଅମଙ୍ଗ ହେଉଥିବା ଯୋଗାଣ ଅଧିକାରୀ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ