ବଲାଙ୍ଗୀର:ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ବ୍ୟାପକ ହେଉଛି ବେଆଇନ ଜମି କାରବାର । ବଲାଙ୍ଗୀରରେ ରାତାରାତି ଏବେ ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ଉଭା ହୋଇଛି । ଗାଁଠୁ ସହ ସବୁଠି ବେଆଇନ ଜମି କାରବାର କରି କୋଟିପତି ହେଉଛନ୍ତି ମାଫିଆ । ପାଟଣାଗଡ ସହରରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ମାଫିଆମାନେ ସହର ମଧ୍ୟରେ ଥିବା ଜମିକୁ ବେଆଇନ ଭାବେ ସରକାରୀ ବେଞ୍ଚ ମାର୍କ ଠାରୁ ଶତାଧିକ ଗୁଣରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବିକ୍ରି ପାଇଁ ଆବଶ୍ୟକ ଥିବା ସରକାରୀ ଅନୁମତି ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ହେଉନି । ଯେଉଁ କାରଣରୁ ଘର ଟିଏ ପାଇଁ ସ୍ବପ୍ନ ଦେଖିଥୁବା ଲୋକେ ଜମି କିଣି ଘର କରିବା ପରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବ୍ୟବସ୍ଥିତ ରାସ୍ତା କି ଡ୍ରେନେଜ ବ୍ୟବସ୍ଥା ମଧ୍ୟ ପାଇ ପାରୁନାହାନ୍ତି ଲୋକେ ।
ସହରରେ ଘର କରିବାକୁ ହେଲେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନୁମତି ଲୋଡା ହୁଏ । ହେଲେ ଲୋକେ ଏହାକୁ ଖାତିର୍ ନ କରି ଅବାଧରେ ଘର ତିଆରି କରିଚାଲିଛନ୍ତି । ଅନ୍ୟପଟେ ସକ୍ରିୟ ଜମି ଦଲାଲ ଓ ରିଏଲ ଇଷ୍ଟେଟ କମ୍ପାନୀଗୁଡ଼ିକ ବିନା ସରକାରୀ ଅନୁମତିରେ ଚାଷ ଜମିଗୁଡିକରେ ଘର କରି ଲୋକଙ୍କୁ ବିକ୍ରି କରୁଛନ୍ତି । ଏହି ଗୋଲକ ଧନ୍ଦା ଏବେ ଶିଖରରେ ପହଞ୍ଚିଥିବା ବେଳେ ଏଥିପାଇଁ ଦାୟୀ ଥିବା ଏନଏସି ହାତ ବାନ୍ଧି ବସିଛି ।