ବଲାଙ୍ଗୀର:ଜିଲ୍ଲାରେ ଖରିଫ ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ । ମଣ୍ଡିରେ କଟନୀ ଛଟନୀ ଓ ଟୋକନ ବ୍ୟବସ୍ଥା ଯୋଗୁଁ ହଇରାଣ ହେଉଥିବା ନେଇ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ । ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।
ନଭେମ୍ବର 28 ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ କ୍ରୟ ଆରମ୍ଭ ହୋଇଛି । ଚଳିତ ବର୍ଷ ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିଲେ ମଧ୍ୟ ଏହାକୁ ବିକ୍ରି କରିବା ନେଇ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମଣ୍ଡିମାନଙ୍କରେ ବ୍ୟାପକ କଟନୀ ଛଟନୀ ଏକ ମୁଖ୍ୟ ସମସ୍ୟା ପାଲଟିଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି କ୍ବିଣ୍ଟାଲ ପିଛା ଚାରି କିଲୋ ପର୍ଯ୍ୟନ୍ତ ଏଫକ୍ୟୁ ମାନ ଯାଞ୍ଚ ନାଁରେ ଧାନ କଟନୀ ଛଟନୀ କରାଯାଉଛି । ତେବେ ମିଲର କଟନୀ ଛଟନୀ ନ ହେଲେ ମଣ୍ଡିରୁ ଧାନ ଉଠାଉ ନଥିବାର ଅଭିଯୋଗ କରିଛନ୍ତି ଚାଷୀ । ପେକ୍ସ ଓ ମିଲର ଏଥିରେ ମିଳିମିଶି ଚାଷୀଙ୍କୁ ଲୁଟୁଥିବାର ଅଭିଯୋଗ କରାଯାଇଛି ।
ଅନ୍ୟପଟେ ଟୋକନ ବ୍ୟବସ୍ଥା ପାଇଁ ମଧ୍ୟ ଚାଷୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ଏକର ଜମି ପିଛା ଧାନ 13 କ୍ବିଣ୍ଟାଲରୁ 18 କ୍ବିଣ୍ଟାଲ ବିକ୍ରି ନେଇ ବ୍ୟବସ୍ଥା ରହିଥିବା ବେଳେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ପାଖକୁ ଆସୁଥିବା ଟୋକନରେ ଧାର୍ଯ୍ୟ ପରିମାଣ ଠାରୁ ବହୁ କମ ପରିମାଣର ଧାନ ବିକ୍ରି ପାଇଁ ଟୋକନ ଆସୁଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସମସ୍ୟା ଶୀଘ୍ର ସମାଧାନ ନ ହେଲେ ଏମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ... ମାଲକାନଗିରିରେ ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କୁ ମିଳୁନି ଟୋକନ, ଛତିଶଗଡ଼ରେ ବିକୁଛନ୍ତି ଧାନ