ବଲାଙ୍ଗୀର:ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା । ବଢୁଛି ଅଟକଙ୍କ ସଂଖ୍ୟା । ଜାଲ ସାର୍ଟିଫିକେଟ ରାକେଟରେ ସାମିଲ ଥିବା 20 ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ୟୁନିଭର୍ସିଟି ନାଁରେ ତିଆରି କରୁଥିଲେ ଜାଲ ସାର୍ଟିଫିକେଟ । ଏହା ଉପରେ ଚଢାଉ କରିବା ସହ ଜବତ ହୋଇଛି ଜାଲ୍ ସାର୍ଟିଫିକେଟ । ଏଥିସହ ଜାଲ୍ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ସହ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀର କଲେଜ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପୋଲିସର ଚଢ଼ାଉ ଜାରି ରହିଥିବା ବେଳେ ସିଲ୍ , ଷ୍ଟାମ୍ପ ଲୋଗୋ, ଲାପଟପ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି ।
ସେହିପରି ବରଗଡ ଜିଲ୍ଲା ସମେତ ବଲାଙ୍ଗୀରର କିଛି ଅନ୍ୟ ଟ୍ରେନିଂ ସେଣ୍ଟରରେ ପୋଲିସ୍ ଚଢାଉ କରିଛି । ଏଥିସହ ବଲାଙ୍ଗୀର ଶାନ୍ତି ପଡ଼ାରେ ଥିବା ଭୋକେଶନାଲ ଟ୍ରେନିଙ୍ଗ ସେଣ୍ଟର୍ ମଧ୍ୟ ଚଢାଉ କରିଥିଲା । ତେବେ ପୋଲିସ୍ ଏ ସମ୍ପର୍କିତ ସୂଚନା ସ୍ପଷ୍ଟ ଭାବରେ ଏଯାଏଁ ଦେଇ ନ ଥିଲେ ମଧ୍ୟ ଏହି ଜାଲ ସାର୍ଟିଫିକେଟ ଧନ୍ଦାରେ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି ସ୍ପଷ୍ଟ ହୋଇଛି । ସେହିପରି ପୋଲିସ୍ ରାଜ୍ୟ ବାହାରେ ମଧ୍ୟ କିଛି ସ୍ଥାନରେ ଚଢାଉ କରିବ ବୋଲି ଜଣାପଡିଛି ।