ବଲାଙ୍ଗୀର: ଅବାଧରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି । ପାଣିରେ କେମିକାଲ ସ୍ପିରିଟ ମିଶାଇ ତିଆରି କରୁଥିଲେ ନାମିଦାମୀ କମ୍ପାନୀର ନକଲୀ ମଦ । ଏହି ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିବା ସହ ବିପୁଳ ପରିମାଣର ମଦ ଜବତ କରିଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ରେଲଓ୍ବେ ଷ୍ଟେସନ ସ୍ଥିତ ଉଦୟ ନଗରର ଏକ ଘରେ । ଘର ଭିତରେ ଥିବା ସମସ୍ତ ୯ ଜଣ କର୍ମଚାରୀଙ୍କ ସହ ଶହଶହ ସଂଖ୍ୟାରେ ଖାଲି ମଦ ବୋତଲ, କେମିକାଲ ସ୍ପିରିଟ, ଟଙ୍କା ଗଣିବା ମେସିନ ଓ ବହୁ ପରିମାଣରେ ବିଭିନ୍ନ ବ୍ରାଣ୍ଡର ନକଲି ମଦ ବୋତଲ ମହଜୁତ କରିଥିଲେ ।
ନକଲି ମଦ ସବୁ ସହରର ବିଭିନ୍ନ ଅଫ୍ ସପ ସହ ଢାବା, କୁଚିଆ ମଦ ଦୋକାନ ଓ ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ହେଉଛି । କାହାକୁ କେଉଁ ମାସରେ କେତେ ମଦ ବିକ୍ରି କରାଯାଉଛି ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ବଡ଼ବଡ଼ ରେଜିଷ୍ଟରରେ ଲେଖୁଥିଲେ ନକଲି ମଦ ସମ୍ରାଟ ପବନ କୁମାର । ପବନ କୁମାର ନିଜେ ଚାରି ନମ୍ବର ମଦ କାଉଣ୍ଟରରେ କାମ କରୁଥିଲା ବୋଲି ପୋଲିସ କହୁଛି । ତେବେ ଚଢ଼ଉ ପରେ ନଗଦ ୬ ଲକ୍ଷ ୭୩ ହଜାର ଟଙ୍କା, ଟଙ୍କା ଗଣିବା ମେସିନ, ଲେବଲିଂ ମେସିନ, ବାଇକ ଓ ମୋବାଇଲ ଜବତ ହେବାସହ ଉକ୍ତ ଘରକୁ ବି ସିଲ୍ କରିଛି ବଲାଙ୍ଗୀର ପୋଲିସ ।