ବଲାଙ୍ଗୀର: ଚାକିରି ନାଁରେ ଯୁବକଙ୍କୁ ଠକେଇ ଅଭିଯୋଗ । ଥାନାରେ ମାମଲା ହେବାପରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀରରେ ଗ୍ଲେଜ ଇଣ୍ଡିଆ କମ୍ପାନୀ ନାଁରେ ଥିବା ଏକ ସଂଗଠନ ନାଁରେ ଏଭଳି ଅଭିଯୋଗ ଆସିଛି । ତେବେ ଏହି କମ୍ପାନୀ ଓଡିଶାର ବିଭିନ୍ନ ଜିଲ୍ଲାର ଯୁବକମାନଙ୍କୁ ଚାକିରି ଦେବା ନାଁରେ ସେମାନଙ୍କଠୁ 20 ହଜାର ଟଙ୍କା ଲେଖାଏଁ ନେଇଥିଲା । ସେହିପରି ମାସକୁ 14 ହଜାର ଟଙ୍କା ଦରମା ମିଳିବ ବୋଲି ଏମାନଙ୍କୁ କହିଥିଲା ।
ଯେଉଁଥିରେ ବିଭିନ୍ନ ଜିଲ୍ଲାର ୧୦ରୁ ଅଧିକ ଯୁବକ ୨୦ ହଜାର ଟଙ୍କା ଦେଇ ଚାକିରି ଆଶାରେ ବଲାଙ୍ଗୀର ଆସିଥିଲେ । ଏଠି ସେମାନଙ୍କୁ ଟ୍ରେନିଂ ନାଁରେ ଏହି ସଂସ୍ଥା ୧ ବର୍ଷ ପର୍ଯ୍ୟନ୍ତ ରଖିବା ପରେ ମଧ୍ୟ କୌଣସି ଦରମା ଦେଇ ନଥିଲା । ତେବେ ଯୁବକମାନେ ଦରମା ଦେବାକୁ ଦାବି କରିଥିଲେ । ଏନେଇ ସଂସ୍ଥାର ଅନ୍ୟ କର୍ମଚାରୀମାନେ ତାଙ୍କୁ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପଦକ୍ଷେପ ନେଇ କମ୍ପାନୀର ୪ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।
ତେବେ ଏହି ସଂସ୍ଥା ଅନ୍ୟ ଜିଲ୍ଲାର କିଛି ନାବାଳକମାନଙ୍କୁ ମଧ୍ୟ ଚାକିରି ଦେବା ନାଁରେ ଏହି ଭଳି ଠକେଇ କରିଥିବାର ପୀଡିତ ନାବାଳକ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁଥିରେ ଜଣେ ଅଭିଭାବକ ତାଙ୍କ ପୁଅ ପାଠ ନପଢିବାରୁ ତା ପାଇଁ ଚାକିରି ଖୋଜିଥିଲେ । ଏହି କ୍ରମରେ ବଲାଙ୍ଗୀରର ଗ୍ଲେଜ ଇଣ୍ଡିଆ କମ୍ପାନୀର ଜଣେ କର୍ମଚାରୀ ତାଙ୍କୁ ଯୋଗାଯୋଗ କରି ଚାକିରି ଦେବା କଥା କହିଥିଲେ । ଯେଉଁଥିରେ ନାବାଳକର ପରିବାର ଲୋକେ ପର୍ଯ୍ୟାୟ କ୍ରମେ 20 ହଜାର ଟଙ୍କା ଦେଇଥିବା ବେଳେ ୧ ବର୍ଷ ହେବ ତାଙ୍କ ପିଲାକୁ ଏହି ସଂସ୍ଥା ଦରମା ନଦେଇ ଠକେଇ କରୁଥିବାର ଅଭିଯୋଗ କରିଛନ୍ତି । ସେ ମଧ୍ୟ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।