ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲାରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଦୈନିକ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲାରେ ବିଦ୍ୟୁତ ଚାଳିତ ଅନ୍ତିମ ସତ୍କାର ବ୍ୟବସ୍ଥା ନଥିବାରୁ କାଠ ହିଁ ଏକ ମାତ୍ର ଭରସା ପାଲଟିଛି । ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଅନ୍ତିମ ସତ୍କାର ପାଇଁ ଦରକାର ଥିବା କାଠର ଅଭାବ ଆଗକୁ ଦେଖାଦେଇ ପାରେ ବୋଲି ଲୋକେ ଚିନ୍ତିତ ଅଛନ୍ତି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିପୁଳ ପରିମାଣରେ କାଠ ମହଜୁଦ ରଖିବାର ଦାବି କରିଛନ୍ତି ଲୋକେ । ତେବେ ବଲାଙ୍ଗୀର ସହରର ମେଡ଼ିକାଲ କଲେଜକୁ ପାଞ୍ଚଟି ଜିଲ୍ଲାର କରୋନା ସଂକ୍ରମିତ ରେଫର ହୋଇ ଆସୁଛନ୍ତି । ଏଥି ପାଇଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ସେହିପରି ଅଧିକାଂଶ ମୃତଦେହ ବଲାଙ୍ଗୀରରେ ଥିବା ବିଭିନ୍ନ ଶ୍ମଶାନ ଘାଟରେ ଦାହ କରାଯାଉଛି । ତେବେ ଏସବୁ ପାଇଁ ବଲାଙ୍ଗୀର ସହର ମଧ୍ୟରେ ଥିବା ଓଡିଶା ବନ ଉନ୍ନୟନ ହିଁ କାଠ ଯୋଗାଇ ଆସିଥାଏ ।