ବଲାଙ୍ଗୀର:ଯବାନଙ୍କ ନାଁରେ ପ୍ରତାରଣା ଅଭିଯୋଗ । CISF ଯବାନଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି ବେଲପଡ଼ା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ । ନ୍ୟାୟ ପାଇଁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିବାହ ପ୍ରତିଶ୍ରରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଯବାନ ଜଣକ ତାଙ୍କୁ ପ୍ରତାରଣା କରିଥିବା ନେଇ ବଲାଙ୍ଗୀର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ୪ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ବିବାହ ପ୍ରତିଶ୍ରୁତି ଦେଇ ଯବାନ ଜଣକ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ବର୍ତ୍ତମାନ ଯବାନ ଜଣକ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଜାଣିବାକୁ ପାଇବା ପରେ ନ୍ୟାୟ ଦାବି କରୁଛନ୍ତି ପୀଡିତା । ସେହିପରି ମାନହାନି ଘଟିଥିବାବେଳେ ଭବିଷ୍ୟତକୁ ନେଇ ପ୍ରଶ୍ନ ଆଣିଛନ୍ତି ପୀଡିତା । ଗୋଟିଏ ପଟେ ପ୍ରତାରଣା ଏବଂ ଅନ୍ୟପଟେ ଲୋକଲଜ୍ଜାକୁ ନେଇ ସେ ଓ ତାଙ୍କ ପରିବାର ଏବେ କେମିତି ଜୀବନ ନିର୍ବାହ କରିବେ ତାକୁ ନେଇ ସମସ୍ତେ ଚିନ୍ତାରେ ଥିବା ସେ କହିଛନ୍ତି । ସମ୍ପୃକ୍ତ CISF ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତା ଜଣକ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ତେବେ ପୀଡ଼ିତା ଅଭିଯୋଗ କରି କହିଛନ୍ତି, "ଗାଁର ଯୁବକ ଗୋକୁଳ ମାଝି CISF ଯବାନ ଭାବରେ କାର୍ଯ୍ୟ କରନ୍ତି । ୨୦୧୯ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗୋକୁଳ ମାଝୀ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ବିବାହ କଥା କହିବାରୁ ସେ ଆଉ ଧରାଛୁଆଁ ଦେଲେନି । ଏପରିକି ମୋବାଇଲ ନମ୍ବର ମଧ୍ୟ ବ୍ଲକ କରିବା ସହ କୌଣସି ପ୍ରକାର ଯୋଗାଯୋଗ କଲେ ନାହିଁ । ଏବେ ସେ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଛନ୍ତି ।" ତେଣୁ ପ୍ରତାରଣାର ଶିକାର ହେବା ପରେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହେବା କଥା କହିଛନ୍ତି ପୀଡିତା । ଏହାସହ ୨ ଜଣଙ୍କ ମଧ୍ୟରେ ହୋଇଥିବା ଚାଟିଂ ଓ ଫଟୋ ସବୁ ପ୍ରମାଣ ଆକାରରେ ଦେଖାଇଛନ୍ତି ।