ବଲାଙ୍ଗୀର:ଜିଲ୍ଲାରେ ଅପରାଧୀ ଦମନ ଜାରି ରଖିଛି ପୋଲିସ । ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପୋଲିସ । ପୁଣି ଜଣେ ମାଫିଆର ହୋଟେଲ ରିସର୍ଟ ସିଲ୍ ହୋଇଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । କେବଳ ଅପରାଧୀ ଓ ମାଫିଆଙ୍କୁ ଗିରଫ କରି ପୋଲିସ ଚୁପ ବସି ନାହିଁ, ବରଂ ଅନ୍ୟ ରାଜ୍ୟ ଭଳି ଏଠାରେ ମଧ୍ୟ ପୋଲିସ ଅପରାଧୀ ଓ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି ।
ଚିତ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ନାମରେ ହତ୍ୟା, ଲୁଟ, ଦାଦାବଟି ଓ ମରଣାନ୍ତକ ଆକ୍ରମଣର ଏକାଧିକ ଅଭିଯୋଗ ଥିଲା । ଏହି ଅଭିଯୁକ୍ତ ଇଡ଼କୋ ଜମିରେ ବେଆଇନ ଭାବରେ ହୋଟେଲ ଓ ରିସର୍ଟ ଖୋଲିଥିଲା । ଯେଉଁଥିରେ ସବୁ ଅପରାଧିକ କାର୍ଯ୍ୟକଳାପ ଚାଲୁଥିବାର ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ ତଦନ୍ତ କରି ବେଆଇନ ହୋଟେଲ ଓ ରିସର୍ଟକୁ ସିଲ କରିଛି । ଚିତ୍ତ ମହାନ୍ତି ଇଡକୋ ପାଖରୁ ସିମେଣ୍ଟ ସାମଗ୍ରୀ ତିଆରି କାରଖାନା ପାଇଁ 2008ରେ 18ଶହ ବର୍ଗ ଫୁଟ ଜମି ନେଇଥିଲା । ହେଲେ ଏଠାରେ ବେଆଇନ ଭାବରେ ଏକ ହୋଟେଲ ଓ ରିସର୍ଟ ତିଆରି କରି ଅପରାଧିକ କାର୍ଯ୍ୟକଳାପ କରୁଥିଲା । ଏହାର ଆଖପାଖରେ ଥିବା ଇଡକୋର ହଜାର ହଜାର ବର୍ଗଫୁଟ ଜମିକୁ ଜବର ଦଖଲ ମଧ୍ୟ କରିଥିଲା । ପୋଲିସ ଏହା ଉପରେ ପଦକ୍ଷେପ ନେଇ ପ୍ରଶାସନ ଓ ଇଡ଼କୋ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ହୋଟେଲ ଓ ରିସର୍ଟକୁ ସିଲ କରିଛି ।
ଏହା ବି ପଢନ୍ତୁ...ବଲାଙ୍ଗୀରରୁ 6500 ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ