ବଲାଙ୍ଗୀର:ଜାଲ ସାର୍ଟିଫିକେଟ ମାମଲାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । କେବଳ ଡାକ ବିଭାଗ ନୁହେଁ ଏହି ରାକେଟର ଚେର ବିଭିନ୍ନ ବିଭାଗକୁ ଲମ୍ବିଥିବା ଜଣାପଡିଛି । ଏହି ମାମଲାର ଅଧିକ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଏତେ ବଡ ନେଟୱର୍କକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ସଫଳ ହେବ ନା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଗତକାଲି(ମଙ୍ଗଳବାର) ଏହି ଟିମ ମୁଖ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ଘରେ ଚଢ଼ାଉ କରିଥିଲେ । ସମାନ ଭାବରେ ପରବର୍ତ୍ତୀ ସମୟରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର କରିଥିଲେ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ତାଙ୍କ ସହଯୋଗୀ ଆଲୋକ ଉଦଗାତା ସହିତ ତ୍ରିବିହାରି ପଣ୍ଡା ଓ ପରେଶ ବୁଡେକକୁ ପାଞ୍ଚ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ 5 ତାରିଖ ଅର୍ଥାତ୍ ଆଜିଠୁ ତିନିଦିନିଆ ପୋଲିସ ରିମାଣ୍ଡ ପ୍ରଦାନ କରିଛନ୍ତି । ସେହିପରି ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ସମନ ଜାରି କରି ତଦନ୍ତ ପାଇଁ ଡାକିବ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସ୍ପଷ୍ଟ କରାଯାଇଛି ।
ସୂଚନା ଅନୁସାରେ, ମନୋଜ ମିଶ୍ର ଓ ତାର ସହଯୋଗୀ ଆଲୋକ ଉଦଗାତା ଗତ ସାତ ବର୍ଷ ହେବ ଏହି ଜାଲ ସାର୍ଟିଫିକେଟ ଧନ୍ଦା ଚଳାଇ ଆସୁଥିଲେ । ସେମାନେ ଗୋଟିଏ ସାର୍ଟିଫିକେଟକୁ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ । ତେବେ ଡାକ ବିଭାଗର ଅଭିଯୋଗ ପରେ ଏହାସବୁ ନକଲି ସାର୍ଟିଫିକେଟ ବୋଲି ଜଣାପଡିବା ପରେ ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଏହାର ଚେର କେବଳ ଡାକ ବିଭାଗ ନୁହେଁ ସବୁ ସରକାରୀ ବିଭାଗ ପର୍ଯ୍ୟନ୍ତ ଲମ୍ବି ଥିବାର ଅଭିଯୋଗ ଆସିବାରେ ଲାଗିଛି । ବଲାଙ୍ଗୀର ସମବାୟ ବିଭାଗ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରେ ଶତାଧିକ ଲୋକେ ଏହି ଜାଲ ସାର୍ଟିଫିକେଟରେ ଚାକିରି କରୁଥିବାର ଜଣାପଡ଼ିଛି ।