ଓଡିଶା

odisha

ETV Bharat / state

ନିଜକୁ ବିଜେପି ନେତା କହି ସଂଗଠନ କରୁଛନ୍ତି ବିହାରୀ ନେତା ! ଜିଲ୍ଲା ସଭାପତି କହିଲେ ଫୌଜଦାରୀ ମାମଲା ଦେବୁ

ବଲାଙ୍ଗୀରରେ ବିଜେପି ସଂଗଠନ କରୁଛନ୍ତି ଅଣଓଡିଆ ନେତା ବଳରାମ ସିଂହ ଯାଦବ । ଜିଲ୍ଲା ସଭାପତି କହିଲେ ଦଳର ସଦସ୍ୟ ନହୋଇ ବିଜେପି ନାଁରେ ସଂଗଠନ କରିବା ବେଆଇନ ଓ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦେବ ବିଜେପି । ସେପଟେ ତାଙ୍କୁ ସହଯୋଗ କରୁଥିବା ବଲାଙ୍ଗୀର ବିଜପି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ନିଜକୁ ବିଜେପି ନେତା କହି ସଂଗଠନ କରୁଛନ୍ତି ବିହାରୀ ନେତା !
ନିଜକୁ ବିଜେପି ନେତା କହି ସଂଗଠନ କରୁଛନ୍ତି ବିହାରୀ ନେତା !

By

Published : Jul 25, 2023, 10:07 PM IST

ନିଜକୁ ବିଜେପି ନେତା କହି ସଂଗଠନ କରୁଛନ୍ତି ବିହାରୀ ନେତା !

ବଲାଙ୍ଗୀର: ଜିଲ୍ଲାରେ ଜଣେ ଅଣଓଡିଆ ନେତା ବଳରାମ ସିଂହ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା । ସେ ନିଜକୁ ବିଜେପି ନେତା କହି ସଂଗଠନ କରୁଥିବା ବେଳେ ବିଜେପିରେ ବିଦ୍ରୋହ ହେଉଥିବା ଭଳି ଅଭାଷ ମିଳିଛି । ଯାହାକୁ ନେଇ ଏବେ ଜିଲ୍ଲା ବିଜେପି ସଭାପତି ସାମ୍ନାକୁ ଆସି ତାଙ୍କର ପ୍ରତିକ୍ରିୟା ସ୍ପଷ୍ଟ କରିଛନ୍ତି । ସମ୍ପୃକ୍ତ ନେତା ବିଜେପିର କୌଣସି ସଦସ୍ୟ ନୁହନ୍ତି ଓ ସେ କରୁଥିବା ସଂଗଠନ ବେଆଇନ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି । ଆଗାମୀ ଦିନରେ ତାଙ୍କ ନାଁରେ ଫୌଜଦାରୀ ମାମଲା ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ତାଙ୍କୁ ସହଯୋଗ କରୁଥିବା ଅନ୍ୟ ବିଜେପି ନେତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ନେତା ନିଜର ପତିଆରା ଦେଖାଇବା ଆରମ୍ଭ କଲେଣି । ଏହାରି ମଧ୍ୟରେ ବଲାଙ୍ଗୀରରେ ୨-୩ ବର୍ଷ ହେବ ଜଣେ ଅଣଓଡିଆ ନେତା ନିଜକୁ ବିଜେପି ନେତା କହି ସଂଗଠନ କରି ଆସୁଛନ୍ତି । ଏପରିକି ନିକଟରେ ସେ ଏକ ଜିଲ୍ଲାସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ବୈଠକ କରିଥିଲେ । ଏହି ବୈଠକ ପରେ ବଲାଙ୍ଗୀର ରାଜାଘର କେନ୍ଦ୍ରିତ ବିଜେପିରେ ତାଙ୍କ ବିରୋଧରେ ବିଦ୍ରୋହ ହେଲାଭଳି ଅଭାଷ ମିଳିଥିଲା । ଏହି ଅଣ ଓଡିଆ ନେତା ବଳରାମ ସିଂହ ଯାଦବ ରାଜ୍ୟ ବିଜେପିର ନିର୍ଦ୍ଦେଶରେ ଏହି ବୈଠକ କରିଥିବା କହିଥିଲେ । ତେବେ ଏହି ବୈଠକରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଶତାଧିକ କର୍ମୀ ଓ ନେତା ଅଂଶ ଗ୍ରହଣ କରିଥିଲେ । ହେଲେ ଏଠାରେ ସେ ବ୍ୟବହାର କରିଥିବା ବ୍ୟାନର ଓ ପୋଷ୍ଟରରେ ସ୍ଥାନୀୟ ନେତା କିମ୍ବା କେବି ସିଂହଦେଓ ତଥା ସଂଗୀତା ସିଂହଦେଓଙ୍କ ଫଟୋ ନଥିଲା । ସେହିପରି ରାଜାଘର କିମ୍ବା ଜିଲ୍ଲା ବିଜେପିର ସଭାପତି ଓ ଅନ୍ୟ ନେତାଙ୍କୁ ଡକା ଯାଇ ନଥିଲା । ଯେଉଁଥିରୁ ଏମାନେ ରାଜାଘର ବିରୋଧରେ ମେଳି କରୁଥିବାର ସ୍ପଷ୍ଟ ହୋଇଥିଲା ।

ସେପଟେ ଦିନକ ପରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଏହା ଉପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଥିଲି ଯେ ବଲାଙ୍ଗୀର ଶାନ୍ତିପଡ଼ାରେ ଏହି ବୈଠକ ବସିଥିଲା । ଏହାର ଆୟୋଜନ କରିଥିବା ଅଣଓଡ଼ିଆ ନେତା ବଳରାମ ସିଂହ ଯାଦବ ବିଜେପିର କୌଣସି ସଦସ୍ୟ ନୁହନ୍ତି । ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ଅନ୍ୟ ରାଜ୍ୟରେ ରହିଛି । ସେ ବିଜେପିର ସଦସ୍ୟ ନଥାଇ ମଧ୍ୟ ନିଜ ଗାଡ଼ିରେ ବିଜେପି ପତାକା ଲଗାଇ ନିଜକୁ ବିଜେପି ନେତା କହି ଦଳକୁ ବଦନାମ କରୁଛନ୍ତି । ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ହେଲେ ଜିଲ୍ଲା ସଭାପତିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦେଇଥାନ୍ତି ।" ତେବେ ସେହି ବୈଠକର କୌଣସି ସ୍ବୀକୃତି ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ତାଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ଆଗାମୀ ଦିନରେ ବିଜେପି ପକ୍ଷ୍ୟରୁ ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ମଧ୍ୟ କହିଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଶନ 2024, ବଲାଙ୍ଗୀରରେ ବିହାରୀ ନେତାଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

ସମାନ ଭାବରେ ଅଣଓଡ଼ିଆ ନେତାଙ୍କ ସହ ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ମଧ୍ୟ ସାମିଲ ଥିଲେ । ସେ ବିଜେପିର ନୀତି ବିରୋଧରେ ଯିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶିବାଜୀ । ସେହିପରି ତାଙ୍କ ବିରୋଧରେ ମଧ୍ୟ ଆଗକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଏହି ଅଣଓଡ଼ିଆ ନେତା କିମ୍ବା ତାଙ୍କ ସହଯୋଗୀଙ୍କୁ ବିଶ୍ବାସରେ ନନେବାକୁ ସେ ଅପିଲ କରିଛନ୍ତି । ସେପଟେ ଏହି ମାମଲାରେ ସମ୍ପୃକ୍ତ ଅଣଓଡିଆ ନେତା ବଳରାମ ସିଂହ ଯାଦବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । କିନ୍ତୁ ବିଜେପିରେ ଏହି ନେତାଙ୍କ ଉପସ୍ଥିତି ଆଗକୁ କଣ ପ୍ରଭାବ ପକାଉଛି ତାହା ସମୟ ହିଁ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details