ବଲାଙ୍ଗୀର:ଜିଲ୍ଲାରେ ଠିକାଦାର ସାଜିଛନ୍ତି ଜନ ପ୍ରତିନିଧି । ଲୋଇସିଙ୍ଗା ବ୍ଲକ ଚେୟାରମ୍ୟାନ ବେଆଇନ ଭାବେ ଛାତମଖନା ଗ୍ରାମଠାରୁ ଚନ୍ଦନଭାଟିକୁ ରାସ୍ତା ତିଆରି କରୁଥିବା ଅଭିଯୋଗ ହୋଇଛି । ବେଆଇନ ଓ ନିମ୍ନମାନର କାମ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୁନ। ନ୍ୟାୟ ନ ପାଇଲେ ଲୋକେ ଆଇନକୁ ହାତକୁ ନେବେ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ବଲାଙ୍ଗୀର ଜିଲ୍ଲା 26 ନମ୍ବର ଜାତୀୟ ରାଜପଥ ଛାତମଖନା ଗ୍ରାମଠାରୁ ଚନ୍ଦନଭାଟିକୁ ରାସ୍ତା ତିଆରି ଚାଲିଛି । ତେବେ ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ମଣ୍ଡଳ ଅଧୀନରେ ଏହି ରାସ୍ତା ତିଆରି ଚାଲିଛି । ଏହି ରାସ୍ତାର ଟେଣ୍ଡର ଜଣେ ଠିକାଦାର ପାଇଥିବା ବେଳେ ତାଙ୍କ ବଦଳରେ ଜଣେ ଜନ ପ୍ରତିନିଧି ଏହାର ନିର୍ମାଣ କାମ ବେଆଇନ ଭାବରେ କରୁଥିବାର ଅଭିଯୋଗ ହୋଇଛି ।
ଜିଲ୍ଲା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ନିଜେ ଏହି କାମ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଏହି କାମ ସେ ବେଆଇନ ଭାବରେ କରୁଥିବା ବେଳେ କାମ ଅତି ନିମ୍ନମାନର ହେଉଥିବାର କହିଛନ୍ତି ବିଧାୟକ । ତେବେ ଏହାକୁ ନେଇ ସେ ପ୍ରଥମେ ବଲାଙ୍ଗୀର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ଏଠିକାର ଅଧିକାରୀମାନେ କାମ ତଦାରଖ କରିବାକୁ ଯାଇ ନିମ୍ନମାନର କାମ ହୋଇଥିବାର ଜାଣି କାମର ବିଲ ମଞ୍ଜୁର କରି ନଥିଲେ । ସେପଟେ ସମ୍ପୃକ୍ତ ଘଟଣାରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ଗ୍ରାମ୍ୟ ମଣ୍ଡଳ ଅଧିକାରୀଙ୍କୁ ଧମକ ଚମକ ଓ ମାଡ଼ ମାରିଥିବାର ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଆରଡ଼ି ଏସଡ଼ିଓ । ଏହି ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାର ଅଭିଯୋଗ କରିଛନ୍ତି ବିଧାୟକ ନରସିଂହ ମିଶ୍ର ।
ବେଆଇନ ଭାବରେ ଠିକା କାମ କରୁଥିବା ବେଲେ ତାହା ପୁଣି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଧାନସଭାରେ ହୁଲୁସ୍ତଲ ହେବା ପରେ ମଧ୍ୟ ଏବେ ଯାଏଁ ସରକାର ଓ ପ୍ରଶାସନ ଚୁପ ବସିବାକୁ ନେଇ ପ୍ରଶ୍ନ ଉଠିଛି । ନିମ୍ନମାନର ରାସ୍ତାକାମକୁ ନେଇ ସରକାରକୁ ସିଧା ସଳଖ ଘେରିଛନ୍ତି ବିଧାୟକ ନିରସିଂହ ମିଶ୍ର ।