ବଲାଙ୍ଗୀର: ରାଜ୍ୟର ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହୁଥିବା ଅନେକ ସମୟରେ ଅଭିଯୋଗ ଆସୁଛି । ତେବେ ଏହି ସମସ୍ୟା ଗୁଡ଼ିକର ସମାଧାନ ଦାବି କରିଛି ବଲାଙ୍ଗୀରର ସ୍ବେଚ୍ଛା ସେବୀ ସଂଗଠନ । ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଏହି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ଆଲୋଚନା କରିବା ସହ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେବେ ବଲାଙ୍ଗୀରରେ ଏହି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହବା ଦିନ ଠାରୁ ଏଠାରେ ନର୍ସ ଓ ଡାକ୍ତରଙ୍କ ଅଭାବ ଲାଗି ରହିଛି । ସେହିପରି ଏବେ ଏଠାରେ ଅଭିଜ୍ଞ ଡାକ୍ତରଙ୍କର ମଧ୍ୟ ଅଭାବ ଯୋଗୁଁ ରୋଗୀ ହଇରାଣ ହୋଇ ମରଣ ମୁହଁରେ ପଡୁଥିବା ବାରମ୍ବାର ଅଭିଯୋଗ ହେଉଛି । ସେହିପରି ଏଠି ଏଯାଏଁ ହୃଦରୋଗ ବିଶେଷଜ୍ଞ ଓ ମସ୍ତିଷ୍କ ରୋଗ ବିଶେଷଜ୍ଞ ଭଳି ଗୁରୁତ୍ବପୂର୍ଣ୍ଣ ଡାକ୍ତର ନିଯୁକ୍ତି ହୋଇନାହାନ୍ତି । ସମାନ ଭାବରେ ଅସ୍ଥିଶଲ୍ୟ ବିଭାଗରେ ସାଧାରଣ ସର୍ଜରୀ ମଧ୍ୟ ସପ୍ତାହକୁ ଗୋଟିଏ ଦିନ କରାଯାଉଛି । ଯେଉଁଥିପାଇଁ ରୋଗୀ ବାଧ୍ୟ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି । ଏହାଛଡା ରୋଗୀ ସଂଖ୍ୟା ଅଧିକ ଥିବାବେଳେ ଶଯ୍ୟା ମଧ୍ୟ ଅଭାବ ଥିବା ଦେଖିବାକୁ ମିଳୁଛି ।