ବଲାଙ୍ଗୀର: ବଲାଙ୍ଗୀର ବଙ୍ଗୋମୁଣ୍ଡାର ପ୍ରସିଦ୍ଧ 37ତମ ଧନୁଯାତ୍ରା ସମ୍ପନ୍ନ ହୋଇଛି । ପାଞ୍ଚ ଦିନ ଧରି ଖୋଲା ଆକାଶ ତଳେ କଂସ ଦରବାର ଆୟୋଜିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଲକ୍ଷାଧିକ ଦର୍ଶକ । ସେହିପରି ମିନାବଜାର ସହ ବିଭିନ୍ନ ଲୋକ କଳା ଓ ସାମଗ୍ରୀର ବିରାଟ ସମାହାର ଦେଖିବାକୁ ମିଳିଥିଲା । ଶେଷ ରାତିରେ କୃଷ୍ଣ ବଳରାମ କଂସକୁ ବଦ୍ଧ କରିବା ପରେ ଲୋକକଳାକୁ ପ୍ରତିପାଦିତ କରୁଥିବା ଏହି ଧନୁଯାତ୍ରା ଶେଷ ହୋଇଛି ।
ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାରେ 37 ତମ ପ୍ରସିଦ୍ଧ ଧନୁ ଯାତ୍ରା ସମ୍ପନ୍ନ ହୋଇଛି । ଗତ 24 ତାରିଖରୁ ଏହି ଧନୁଯାତ୍ରା ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲିଥିଲା । ତେବେ ସମଗ୍ର ବଙ୍ଗୋମୁଣ୍ଡା ମଥୁରା ନଗରୀ ପାଲଟି ଥିବା ବେଳେ କଂସ ମହାରାଜାଙ୍କ ରାଜୁତି ଚାଲିଥିଲା । ଯେଉଁଥିରେ ସହରରେ ନୀତି ଦିନ କଂସ ମହାରାଜ ତାଙ୍କ ଅଷ୍ଟମଲ୍ଲ ଓ ରାଜକୀୟ ପଟୁଆରି ନେଇ ହାତୀ ଓଟ ଉପରେ ବସି ସହର ପରିକ୍ରମା କରିଥିଲେ । ସେହିପରି ତାଙ୍କ ସ୍ବାଗତ ପାଇଁ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଅଘୋରି ନୃତ୍ୟ, ଘଣ୍ଟ ବାଦ୍ୟରେ ସାରା ସହର ପ୍ରକମ୍ପିତ ହୋଇଥିଲା ।
ସେହିପରି ପ୍ରତିଦିନ କଂସ ଦରବାର ବସିଥିଲା । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ଲୋକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଦର୍ଶକ ଏହାକୁ ଦେଖିବା ପାଇଁ ଭିଡ ଜମାଉଥିଲେ । ତେବେ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ନିଜେ କଂସ ମହାରାଜା ଥିବା ବେଳେ ଏହି ଚିତ୍ତାକର୍ଷକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଅଭିନେତା ରବୀନ୍ଦ୍ର ସାହୁ । ସାରା ବଙ୍ଗୋମୁଣ୍ଡା ତାଙ୍କର ମଥୁରା ନଗରୀ ପାଲଟି ଥିବା ବେଳେ ପ୍ରଜା ତାଙ୍କୁ ଖୁବ ସମ୍ମାନ ଦେଇଛନ୍ତି । ସେହିପରି ଶେଷ ରାତିରେ କୃଷ୍ଣ ବଳରାମ ତାଙ୍କର ଅତିଥି ଭାବରେ ଆସି କଂସଙ୍କ ସହ ଯୁଦ୍ଧ କରିବା ସହ ତାଙ୍କୁ ବଦ୍ଧ କରିଥିଲେ । ଏଥିସହ ଧନୁଯାତ୍ରା ଶେଷ ହୋଇଛି ।