ଓଡିଶା

odisha

By

Published : Nov 19, 2019, 5:37 PM IST

ETV Bharat / state

ଅନ୍ଧାରରେ ସୁକତେଲ ପ୍ରକଳ୍ପ: ବିସ୍ଥାପିତ-ସରକାର ଲଢେଇରେ ବିତିଲାଣି 23 ବର୍ଷ

ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ଏବେ ଠେଲି ହୋଇ ଯାଇଛି ଅନ୍ଧକାର ମଧ୍ୟକୁ । ନା ବିସ୍ଥାପିତ ଥଇଥାନ ହୋଇଛନ୍ତି ନା ଆଗେଇ ପାରୁଛି କାମ । ଏବେ ମଧ୍ୟ ଜାରି ରହିଛି ବିସ୍ଥାପିତଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ...

ନିର୍ମାଣ ଅପେକ୍ଷାରେ ସୁକତେଲ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ଏକଦା ଏହା ବଲାଙ୍ଗୀର ସହ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ପାଇଁ ବରଦାନ ସାଜିବ ବୋଲି ଆଶା କରାଯାଉଥିଲା । ପ୍ରକଳ୍ପ ପାଇଁ 29 ଖଣ୍ଡ ଗାଁ ର ଅନେକ ପରିବାର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସାମୁହିକ ସ୍ବାର୍ଥ ପାଇଁ ନିଜ ଭିଟା ମାଟି ଛାଡି ବିସ୍ଥାପିତ ମଧ୍ୟ ହେଇ ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ ଅନ୍ୟପଟେ ଅନେକ ପରିବାର ନିଜ ଭିଟା ମାଟି ନ ଛାଡିବା ପାଇଁ ଆନ୍ଦୋଳନ କରି ଚାଲିଛନ୍ତି , ତେବେ ସରକାରଙ୍କ ଉଦାସୀନତା ଓ ବିସ୍ଥାପିତଙ୍କ ଏଇ ଆନ୍ଦୋଳନ ଯୋଗୁଁ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି ପ୍ରକଳ୍ପର ଭାଗ୍ୟ ।

ନିର୍ମାଣ ଅପେକ୍ଷାରେ ସୁକତେଲ

1996 ମସିହାରେ ବଲାଙ୍ଗୀର ଜିଲ୍ଲା ମାଗୁର ବେଡା ସୁକତେଲ ନଦୀ ଉପରେ ଏହି ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। 214 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ଏହି ପ୍ରକଳ୍ପ ପାଇଁ । ପ୍ରକଳ୍ପଟି ବଲାଙ୍ଗୀର ତଥା ସୁବର୍ଣ୍ଣପୁର ଜିଲ୍ଲାର ଚାଷ ଜମିକୁ ଜଳ ସେଚିତ କରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ପ୍ରକଳ୍ପ ବିରୋଧୀଙ୍କ ଯୋଗୁଁ ସେ ସମୟରେ ଏହାର କାମ ଆରମ୍ଭ ହୋଇ ପାରିନଥିଲା । 2000 ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ପୁଣି ଥରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। କିନ୍ତୁ ଏଥର ମଧ୍ୟ ପ୍ରବଳ ବରୋଧ ଯୋଗୁଁ କାମ ଆରମ୍ଭ ହୋଇ ପାରିଲା ନାହିଁ । ତେବେ ସରକାର ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ଦେବାର ପ୍ରତିଶୃତି ପରେ 2012 ମସିହା ଏପ୍ରିଲ ମାସରେ ଏହାର କାମ ଆରମ୍ଭ ହୋଇଥିଲା। ହେଲେ ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ନ ଦେଇ କାମ କରିବା ମହଙ୍ଗା ପଡିଥିଲା ଏବଂ ଗତ ଜୁଲାଇ 2018ରୁ ଆଜିକୁ 17 ମାସ ହେବ ପୁଣି ଏହାର କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏହି ପ୍ରକଳ୍ପ ଦ୍ବାରା ମୋଟ 29 ଖଣ୍ଡ ଗାଁ ଲୋକ ବିସ୍ଥାପିତ ହେବେ। ଯେଉଁଥିରେ 15ଟି ଗ୍ରାମ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡୁଥିବା ବେଳେ 14ଟି ଗ୍ରାମର ଅଳ୍ପ କିଛି ଅଞ୍ଚଳକୁ ପାଣି ମାଡିବ। ତେବେ ଏହାଦ୍ବାରା ବିସ୍ଥାପିତ ହେବାକୁ ଥିବା 15 ହଜାରରୁ ଉର୍ଦ୍ଧ୍ବ ଲୋକ ଏବେବି ଦାବି ଅନୁସାରେ କ୍ଷତି ପୂରଣ ପାଇଁ ନାହାନ୍ତି। ଏଠିକାର ବିସ୍ଥାପିତ ଲୋକେ ବର୍ତ୍ତମାନ 2013 ବିସ୍ଥାପନ ଆଇନ ଅନୁସାରେ କ୍ଷତି ପୂରଣ ଦାବି କରି ଆନ୍ଦୋଳନ କରିବା ସହ ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି। ତେବେ ସରକାର ତାଙ୍କୁ ସଠିକ ଭାବେ ଥଇଥାନ ନକଲେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ଲୋକ କହିଛନ୍ତି ।

ଏହି ମେଗା ଜଳ ପ୍ରକଳ୍ପ ବଲାଙ୍ଗୀର ଓ ସୁବର୍ଣ୍ଣ ପୁର ଜିଲ୍ଲା ପାଇଁ ବରଦାନ ହୋଇପାରେ । ହେଲେ ଲୋକଙ୍କ ଆନ୍ଦୋଳନ ପାଇଁ ଏହି କାମ ଆଗକୁ ବଢି ପାରୁ ନାହିଁ। ତେବେ ସରକାରୀ ତଥ୍ୟ ଅନୁସାରେ ମୋଟ 3ହଜାର 3ଶହ 59 ଏକର ସରକାରୀ ଜମି ମଧ୍ୟରୁ ଏଯାଏଁ 1ହଜାର 880 ଏକର ଜମି ଅଧିଗ୍ରହଣ ହୋଇଛି । ସେହିପରି ଘରୋଇ ଜମି ମୋଟ 13 ହଜାର 97 ଏକର ମଧ୍ୟରୁ ମାତ୍ର 7ହଜାର 35 ଏକର ଜମି ଏପର୍ଯ୍ୟନ୍ତ ଅଧିଗ୍ରହଣ ହୋଇଛି।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ଜିଲ୍ଲାର 29ହଜାର 841 ହେକ୍ଟର ଓ ସୁବର୍ଣ୍ଣପୁର ଜିଲ୍ଲାର 177 ହେକ୍ଟର ଜମି ଜଳ ସେଚିତ ହେବ । ହେଲେ ନିର୍ମାଣ କାମ ଆରମ୍ଭ ହୋଇ ଆଜିକୁ 23 ବର୍ଷ ବିତିଥିବା ବେଳେ ଡ୍ୟାମର ସ୍ପିଲ ୱେ କାମ 70 ପ୍ରତିଶତ ଓ ଅନ୍ୟାନ୍ୟ ବନ୍ଧ କାମ ମାତ୍ର 49 ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ପାରିଛି। ସେହିପରି କେନାଲ କାମ ଏଯାଏଁ ଆରମ୍ଭ ହୋଇ ପାରିନାହିଁ । ଅନ୍ୟପଟେ ଏହି ପ୍ରକଳ୍ପର ନିର୍ମାଣ କାମ ଯେତେ ବିଳମ୍ବ ହେଉଛି ଏହାର ନିର୍ମାଣ ଖର୍ଚ୍ଚ ମଧ୍ୟ ବଢି଼ ବଢି଼ ଚାଲିଛି। ଯେଉଁ ପ୍ରକଳ୍ପ କାମ 214 କୋଟିରୁ ଆରମ୍ଭ ହୋଇଥିଲା ବିଗତ ଦିନରେ ତା ପାଇଁ 1048 କୋଟି ସଂଶୋଧିତ ବ୍ୟୟ ବରାଦ ହୋଇଥିଲା। ତେବେ ବର୍ତ୍ତମାନ ଏହା ତିନି ହଜାର କୋଟିରୁ ଉର୍ଦ୍ଧ୍ବକୁ ଛୁଇଁଲାଣି। ସେପଟେ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଛି । ତେବେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ନସରିଲେ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରିବ ବୋଲି କହିଛି କମିଟି ।

ସମୟ ଗାଡି଼ ଗଡି ଚାଲିଛି, ନା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉଛି ନା ବିସ୍ଥାପିତଙ୍କ ଦାବି ପୂରା ହେଉଛି । ତେବେ କେବେ ସରକାର ବିସ୍ଥାପିତଙ୍କୁ ଥଇଥାନ କରୁଛନ୍ତି ଓ କେବେ ସମ୍ପୂର୍ଣ୍ଣ ହେଉଛି ଲୋୟର ସୁକତେଲ ପ୍ରକଳ୍ପ ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details