ବଲାଙ୍ଗୀର:ଆଜି ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ହଟାଇ ହିନ୍ଦୁ ଜାତିର ଅପମାନ କରାଯିବା ଅଭିଯୋଗରେ ହିନ୍ଦୁ ସମାଜ ଓ ଏହାର ସହଯୋଗୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ପାଟଣାଗଡ଼ ଏନଏସି ଓ ପାଟଣାଗଡ଼ ବିଧାୟକଙ୍କ ପଦକ୍ଷେପ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଆଜି ପାଟଣାଗଡ ଅଞ୍ଚଳର ସବୁ ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଛି । ହିନ୍ଦୁ ସମାଜ ଓ ଅନ୍ୟ ସଂଗଠନ ପାଟଣାଗଡର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ପାଟଣାଗଡ଼ ବ୍ରହ୍ମପୁରା ଛକରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା । ଏହାକୁ ଲୋକେ ପୂଜାର୍ଚ୍ଚନା କରିବା ସହ ଏହି ଛକକୁ ପର୍ଶୁରାମ ଛକ ବୋଲି କହୁଥିଲେ । ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ତତ୍ତ୍ଵାବଧାନରେ ଦୁଇ ଦିନ ତଳେ ଏଠାରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ହଟାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଥିଲା ପାଟଣାଗଡ଼ ଏନଏସି । ଯାହାକୁ ନେଇ ପାଟଣାଗଡ଼ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଗତକାଲି ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ପର୍ଶୁରାମଙ୍କ ମୂର୍ତ୍ତି ପୁନଃସ୍ଥାପନ ପାଇଁ ଦାବି କରିଥିଲେ । କେହି ଏହା ପ୍ରତି କର୍ଣ୍ଣପାତ ନକରିବାରୁ ଆଜି ହିନ୍ଦୁ ସମାଜ ସହ ବିଭିନ୍ନ ସଂଗଠନ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ।
ତେବେ ଏନେଇ ବିଧାୟକ କିମ୍ବା ପାଟଣାଗଡ଼ ଏନଏସି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ବିଧାୟକଙ୍କ ପଦକ୍ଷେପ ବିରୋଧରେ ପୁରା ପାଟଣାଗଡ଼ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ସହର ମଧ୍ୟରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି ।