ଅନୁଗୋଳ:ମହିଳା ସଶକ୍ତିକରଣର ଝଲକ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ମାଟିଆସାହି ପଞ୍ଚାୟତର ମଦନମୋହନ ପାଟଣା ଗାଁରେ । ଗାଁର ୬ଟି ମହିଳା ଗୋଷ୍ଠୀର ୯୦ଜଣ ମହିଳା ମାଟିରେ ବିଭିନ୍ନ ମୂର୍ତ୍ତି ଓ ଟେରାକୋଟା କାମ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଖାଲି ସେତିକି ନୁହେଁ ସେମାନେ ଆଖପାଖ ଅଞ୍ଚଳର ମହିଳା ମାନଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରାଇବାକୁ ଉଦ୍ୟମ କରୁଛନ୍ତି ।
ମାଟିଆସାହି ପଞ୍ଚାୟତର ମଦନମୋହନ ପାଟଣା । ଏଠାକାର ମହିଳାମାନେ ହେଉଛନ୍ତି ଆତ୍ମନିର୍ଭରଶୀଳ । ନିଜେ ଅଣ୍ଟା ଭିଡି କିଛି ରୋଜଗାର କରି ପରିବାରର ସାହା ହେବା ପାଇଁ ଚଳାଇଛନ୍ତି ଉଦ୍ୟମ । ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହଯୋଗରେ ଗତ ୨୦୧୨ରେ ପ୍ରଥମେ ୩ଟି ମହିଳା ଗୋଷ୍ଠୀର ୪୫ଜଣ ସଦସ୍ୟା ମାଟିରେ ବିଭିନ୍ନ ପ୍ରକାର ମୂର୍ତ୍ତି ଓ ଅନ୍ୟାନ୍ୟ ଘର ସଜାଇବା ଜିନିଷ ତିଆରି ପାଇଁ ତାଲିମ ନେଲେ । ଏହାପରେ ଟେରାକୋଟା କାମ ଶିଖିଲେ । ସେବେଠାରୁ ସେମାନେ କେବେ ପଛକୁ ଫେରି ନାହାନ୍ତି । ମାଟିରେ ଘୋଡା, ହାତୀ, ମୟୂର ଭଳି ଅନେକ ପ୍ରକାର ପକ୍ଷୀ, କଳସ, ଦୀପ, ରୁଖା ଆଦି ଭଳିକି ଭଳି ଜିନିଷ ତିଆରି କରୁଛନ୍ତି । ସେଗୁଡିକରେ ରଙ୍ଗ ଦେଉଛନ୍ତି ।
ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ମେଳା ଓ ପ୍ରଦର୍ଶନୀକୁ ନେଇ ବିକ୍ରି କରୁଛନ୍ତି । ବର୍ଷକୁ ଗୋଟିଏ ଗୋଷ୍ଠୀ ପ୍ରାୟ ଲକ୍ଷେ ଟଙ୍କା ଲାଭ କରି ପାରୁଛନ୍ତି । ସେମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଗତ ଦୁଇ ବର୍ଷ ହେଲା ଗାଁର ଆଉ ୩ଟି ମହିଳା ଗୋଷ୍ଠୀ ମଧ୍ୟ ତାଲିମ ନେଇ ଏହି କାମ କରୁଛନ୍ତି । ଆଗକୁ ସେମାନେ ମଧ୍ୟ ଏଥିରୁ ଭଲ ଦୁଇ ପଇସା ଲାଭ ପାଇବାକୁ ଆଶା ରଖିଛନ୍ତି । ଘରର ରୋଷେଇ ଓ ଅନ୍ୟାନ୍ୟ କାମ ପରେ କିଛି ସମୟ ବାହାର କରି, ଅନ୍ୟ ମହିଳା ମାନଙ୍କୁ ତାଲିମ ଦେବା ଆଦି କାମ ସେମାନେ କରୁଛନ୍ତି । ବର୍ତମାନ ସ୍ଥିତିରେ ଗାଁର ୯୦ଟି ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇ ପାରିଛି ।
ଏହି ମହିଳା ମାନଙ୍କୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ କେବଳ ତାଲିମ ଦିଆଯାଇଛି । ଅନ୍ୟ କୌଣସି ସହାୟତା ଦିଆଯାଇନାହିଁ । ତଥାପି ନିଜ ପ୍ରଚେଷ୍ଟା ଓ ଆଗ୍ରହ ବଳରେ ଆଗକୁ ବଢିବାର ପ୍ରୟାସ ଜାରି ରଖିଛନ୍ତି ଏହି ମହିଳା । ସେମାନଙ୍କର ରହିଛି ଅନେକ ସମସ୍ୟା । ନିଜେ ମାଟିରେ ମୂର୍ତ୍ତି ତିଆରି କରିବା, ସେଗୁଡିକରେ ରଙ୍ଗ ଦେବା ଏବଂ ଖରା ବର୍ଷାରୁ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଜିନିଷ ସୁରକ୍ଷିତ ରଖିବା ପାଇଁ ଘରଟିଏ ନାହିଁ । ଗାଁ କୋଠ ଘରକୁ ସେମାନେ ଭଡା ସୂତ୍ରରେ ନେଇଛନ୍ତି । କିନ୍ତୁ ଛୋଟିଆ ଘର ହୋଇ ଥିବାରୁ ସମସ୍ତେ ଏକସଙ୍ଗେ ବସି କାମ କରି ପାରୁନାହାନ୍ତି । ବାଧ୍ୟ ହୋଇ ସେମାନେ ଗାଁର ଏକ ମଣ୍ଡପରେ ଖୋଲାରେ ବସି କାମ କରୁଛନ୍ତି ।