ଅନୁଗୋଳ: କଥାରେ ଅଛି ଇଚ୍ଛା ଥିଲେ ସଫଳତା ପାଦ ତଳକୁ ଆସେ । ଯାହା ଅସମ୍ଭବ ତାହାକୁ ସମ୍ଭବ କରିହୁଏ । ଏମିତି କିଛି କରି ଦେଖାଇ ପାରିଛନ୍ତି ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ବଳରାମପ୍ରସାଦ ଗାଁର ୧୦ଜଣ ମହିଳା । ସେମାନେ ନିଜସ୍ବ ଖର୍ଚ୍ଚ ଓ ଉଦ୍ୟମରେ ବ୍ୟବସାୟ ଆରମ୍ଭ କରି ଆଜି ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ଅନ୍ୟ ମହିଳାମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା ।
ବ୍ୟବସାୟୀ ମହିଳା ଗୋଷ୍ଠୀ, କମାଉଛନ୍ତି ମୋଟ ଅଙ୍କର ଟଙ୍କା ୨୦୧୭ ମସିହାରେ ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଉପଯୁକ୍ତ ପରାମର୍ଶ ଅଭାବରୁ ସେମାନେ ସଫଳ ହୋଇପାରି ନଥିଲେ । ହେଲେ ୨୦୨୦ରେ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ନାମକ ଏକ ସଂସ୍ଥାର ପ୍ରଶିକ୍ଷଣ ପରେ ଗୁଜୁରାଟରୁ ଅତ୍ୟାଧୁନିକ ଅଟା ପେସା ମେସିନ ସହ ଆବଶ୍ୟକୀୟ ସାମଗ୍ରୀ ଆଣି ଗହମ ପେସି ଅଟା ପ୍ୟାକିଙ୍ଗ କରୁଛନ୍ତି ଏବଂ ତାହାକୁ ବିକ୍ରି କରି ବେଶ୍ ଲାଭବାନ ହେଉଛନ୍ତି । ଯାହା ପରଠାରୁ ମହିଳା ଗୋଷ୍ଠୀର ସଦସ୍ୟାମାନେ ଗୋଟିଏ ପରେ ଗୋଟିଏ ସଫଳତାର ଶିଢ଼ି ଚଢି ଚାଲିଛନ୍ତି । ଏହା ସମ୍ଭବ ହୋଇପାରିଛି କେବଳ ସେମାନଙ୍କ ଇଛାଶକ୍ତି ଏବଂ ପରିଶ୍ରମ ଯୋଗୁଁ ।
ସେମାନେ ଏବେ ନିଜ ସଂସ୍ଥାକୁ 'ମା' ଉଦ୍ୟୋଗ ନାମରେ ନାମିତ କରିଛନ୍ତି । ଯେତେବେଳେ ଯେଉଁ ଜିନିଷର ଆବଶ୍ୟକତା ରହିଛି, ସେମାନେ ସେହି ଜିନିଷ ପ୍ରତି ବେଶି ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ସାରା ଦେଶରେ ମାଣ୍ଡିଆର ଚାହିଦା ବଢୁଛି । ତେଣୁ କୋରାପୁଟରୁ ମାଣ୍ଡିଆ କିଣିଆଣି ଏଠାରେ ଚୁନା ପ୍ରସ୍ତୁତ କରୁଛନ୍ତି । ସେହି ଚୁନାକୁ ପ୍ୟାକେଟ କରି ବିକ୍ରି କରୁଛନ୍ତି । ଦୈନିକ ପ୍ରାୟ ଦୁଇରୁ ତିନି କ୍ବିଣ୍ଟାଲ ମାଣ୍ଡିଆ ଚୁନା ବିକ୍ରି ହେଉଛି । ଏଥିରୁ ଦୁଇ ପଇସା ଲାଭ ବି ହେଉଛି । ଏହାଛଡା ସେମାନେ ଏବେ ମୁଗ, ବିରି ଓ ହଳଦୀ ଆଦି ପେସାଇବା ଆରମ୍ଭ କରିଛନ୍ତି । ଚାହିଦା ଦୃଷ୍ଟିରୁ ହଳଦୀ ପେସାଇବା ପାଇଁ ଖୁବଶୀଘ୍ର ଏକ ଅତ୍ୟାଧୁନିକ ହଳଦୀ ପେସାଇବା କଳ କିଣି ଆଣିବାକୁ ଯୋଜନା କରିଛନ୍ତି ଏହି ମହିଳା ଗୋଷ୍ଠୀ ।
ବଳରାମପ୍ରସାଦ ଗାଁର ଏହି ୧୦ଜଣ ମହିଳାଙ୍କ ଉଦ୍ୟମ ଅନ୍ୟ ସମସ୍ତ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ । କେବଳ ଘରେ ବସି ରହିଲେ ଜୀବନରେ କେହି ସଫଳ ହୋଇ ପାରିବ ନାହିଁ । ପରିଶ୍ରମ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ କର୍ମ ସଂସ୍ଥାନ ଯୋଗାଇ ଦେଇ ହେବ । ଏ କଥାକୁ ପ୍ରମାଣିତ କରି ପାରିଛନ୍ତି ଏହି ମହିଳା ଗୋଷ୍ଠୀ। ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ