ଅନୁଗୋଳ:ଆମ୍ବ ହେଉଛି କାଳ । ଆମ୍ବ ପାଇଁ ଯାଉଛି ମଣିଷ ଜୀବନ । ଆମ୍ବ ଖାଇବାକୁ ଆସି ହାତୀ ମଧ୍ୟ ଫସି ଯାଉଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲାରେ ସବୁଦିନିଆ ହୋଇଗଲାଣି । ଲଗାତାର ଅନୁଗୋଳ ବନଖଣ୍ଡର ବନ୍ତଳା ବନାଞ୍ଚଳରେ ଆମ୍ବ ପାଇଁ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଆଜି (ଶୁକ୍ରବାର) ମଧ୍ୟ ଆମ୍ବ ଗୋଟାଇବାକୁ ଗାଁ ପାଖ ତୋଟାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ବୈଦେହୀ ପ୍ରଧାନ । ବନ୍ତଳା ବନାଞ୍ଚଳର ଜାମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ଜାମୁଣ୍ଡା କୁଳିଆପଶି ସାହିରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ଆଖି ବୁଝିଛନ୍ତି । ବଡ଼ି ଭୋର ସମୟରେ ବୈଦେହୀ ପ୍ରଧାନ ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ହଠାତ୍ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବନ୍ତଳା ବନାଞ୍ଚଳରେ ଏବେ ହାତୀଙ୍କ ଉପଦ୍ରବ ଖୁବ୍ ବଢି ଯାଇଛି । ବିଗତ ୧୦ ଦିନରେ ହାତୀ ଆକ୍ରମଣରେ ୫ଜଣଙ୍କ ଜୀବନ ଗଲାଣି ।
ଏହାମଧ୍ୟ ପଢନ୍ତୁ: ଆମ୍ବ ଖାଇବାକୁ ଆସି ଗଛ ମଝିରେ ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରି