ଅନୁଗୋଳ: ଏବେ ପାଣି ମାଗି ଚଳିବାକୁ ପଡୁଛି । ଯଦି ପଡୋଶୀ ପାଣି ନ ଦେଲେ ତେବେ କଥା ସରିଲା । ଦିନେ ଆଣିଲେ ଦୁଇରୁ ତିନି ଦିନ କେବଳ ଜୀବନ ବଞ୍ଚାଇବା ପାଇଁ ଚଳିବାକୁ ପଡୁଛି । ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ପାନୀୟ ଜଳ ପ୍ରକଳ୍ପ ହୋଇଛି । ପାଞ୍ଚ ବର୍ଷ ହେବ ପାଇପ ପଡିଛି ହେଲେ ତାହା କାମରେ ଲାଗୁନି । ଏଭଳି ଅବ୍ୟବସ୍ଥା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଜିଲ୍ଲା ପ୍ରଶାସନର ନାକ ତଳେ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଖଲାରି ପଞ୍ଚାୟତର ଦୃଶ୍ୟ । ପଞ୍ଚାୟତ ଲାଗିଛି ସହରକୁ, ଅର୍ଥାତ ଜିଲ୍ଲା ସଦର ମହକୁମାକୁ ଲାଗିଛି ଏହି ଗାଁ । ହେଲେ ଏଠାରେ ପାଣି ପାଇଁ ହାହାକାର । ପାଞ୍ଚ ବର୍ଷ ହେବ ପାଇପ ପଡିସାରିଛି। ହେଲେ ପାଇପରେ ପାନୀୟ ଜଳ ଆସିବ ବୋଲି କହି ଦିନ ଗଡାଇ ଚାଲିଛି ବିଭାଗ । କହିବାକୁ ଗଲେ ବ୍ୟବସ୍ଥା ଥାଇ ବି ଶୋଷରେ ଛଟପଟ ଲୋକେ । ଯେଉଁ ଗୋଟିଏ ସରକାରୀ ନଳକୂପ ଅଛି ତା ପାଖରେ ଲାଗୁଛି ଲମ୍ବା ଲାଇନ ।
ଆଜକୁ ପାଞ୍ଚ ବର୍ଷ ତଳେ ଏହି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରା ଯାଇଥିଲା । ଓଭର ହେଡ ଟ୍ୟାଙ୍କ ଠାରୁ ଆରମ୍ଭ କରି ଇନଟେକ ୱେଲ ଓ ପାଇପରେ ପାଣି ଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ସେତେବେଳେ 45 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ବି ହୋଇଥିଲା । ମାତ୍ର ଆଜି ଯାଏଁ ଲୋକଙ୍କ ଶୋଷ ମେଣ୍ଟାଇ ପାରିଲା ନାହିଁ ଏହି ପ୍ରକଳ୍ପ । ଖରାଦିନରେ ଦୁର୍ଦ୍ଦଶା ବଢୁଥିବା ବେଳେ ଗୁହାରି କେହି ଶୁଣୁନାହାଁନ୍ତି । ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଯାହାବି ଅସୁବିଧା ଅଛି ଖୁବଶୀଘ୍ର ସମାଧାନ କରାଯିବ ।
ପ୍ରକଳ୍ପ ଉପରେ ପ୍ରକଳ୍ପ ହେଉଛି, ଏଥିପାଇଁ ଟଙ୍କା ବି ଖର୍ଚ୍ଚ ହେଉଛି । ହେଲେ କାହିଁକି ଯେ, ସରକାରୀ ବ୍ୟବସ୍ଥା ଏଭଳି ଅଧାପନ୍ତରିଆ ଭାବେ ପଡିରହୁଛି ତାକୁ ନେଇ ସନ୍ଦେହ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ