ଅନୁଗୋଳ: ପାଣି ମୁନ୍ଦାଏ ପାଇଁ ଡହଳ ବିକଳ । ଖରାଦିନ ଆରମ୍ଭରୁ ତାତି ମାଡ଼ ସାଙ୍ଗକୁ ଦେଖାଦେଲାଣି ଜଳ କଷ୍ଟ । ଅନୁଗୋଳ ସହରର ହୁଲୁରିସିଙ୍ଗାରେ ଜଳ ସଂକଟ ଭୋଗୁଛନ୍ତି ଲୋକେ । 3000ରୁ ଅଧିକ ଲୋକଙ୍କ ଜୀବନ ବିନ୍ଦୁ ପାଲଟିଛି ନଳକୂପ ।
ଅନୁଗୋଳରେ ଜଳ ଉତ୍କଟ, ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଏହି ଅଞ୍ଚଳରେ ବିଶେଷ କରି ଜନସ୍ବାସ୍ଥ୍ୟ ବିଭାଗ ଦ୍ଵାରା ପାଇପ ଯୋଗେ ଦିଆ ଯାଉଥିବା ପାଣି ଉପରେ ଲୋକେ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ଦିନ ହେଲା କୌଣସି କାରଣରୁ ଜଳ ଯୋଗାଣ ବନ୍ଦ ରହିଛି । ନଳକୂପ ଏକମାତ୍ର ସାହା ପାଲଟିଥିବା ବେଳେ ସେଥିରୁ ମଧ୍ୟ ପର୍ଯ୍ୟାପ୍ତ ପାଣି ଆସୁ ନାହିଁ । ଯାହା ଲୋକଙ୍କ ଦୁଃଖ ବଢ଼ାଇଛି । ପ୍ରାୟ ୧ମାସରୁ ଅଧିକ ହେଲାଣି ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି । ତେଣୁ ରାତି ପାହିଲେ ମହିଳାମାନେ ନଳକୂପ ପାଖରେ ପାଣି ପାଇଁ ଲମ୍ବା ଲାଇନ ଲଗାଉଛନ୍ତି । ତଥାପି ସମସ୍ତଙ୍କୁ ପାଣି ନିଅଣ୍ଟ ହେଉଛି ।
ନିକଟରେ ଥିବା ଏକ ନାଳର ପାଣି ବ୍ୟବହାର କରନ୍ତି ଏବଂ ପାଣି ଗାଧୋଇ ନାନା ପ୍ରକାର ଚର୍ମ ରୋଗର ଶିକାର ହୁଅନ୍ତି । କିନ୍ତୁ ଏ ବର୍ଷ ସେହି ନାଳ ପାଣି ମଧ୍ୟ ଶୁଖି ଗଲାଣି । ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ପାଣି ଟୋପାଏ ପାଇଁ ଲୋକେ ଛଟପଟ ହେବେ ବୋଲି ଆଶଙ୍କା କରାଯାଉଛି । ଦିନେ ଦିନେ ପାଣି ନପାଇ ରୋଷେଇ କରି ପାରୁ ନଥିବା ମହିଳାମାନେ କହିଛନ୍ତି । ସମସ୍ତଙ୍କ ଘର ଆଗରେ ପାଇପ ସଂଯୋଗ ରହିଛି । କେଉଁଠି ପାଇପ ଭାଙ୍ଗିରୁଜି ଯାଇଛି ତ ଆଉ କେଉଁଠି ପାଇପର ଚିହ୍ନବର୍ଣ୍ଣ ନାହିଁ । ଗତ ପ୍ରାୟ ଏକ ମାସ ହେଲା ଏଭଳି ଅବସ୍ଥା ଲାଗି ରହିଛି । ହେଲେ ଜଳ ଯୋଗାଣ ବିଭାଗ ଏଥିପ୍ରତି ଧ୍ୟାନ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଳ ଯୋଗାଣ ପାଇପ ଫାଟି ଯାଇଥିବାରୁ ଏଭଳି ଅସୁବିଧା ହେଉଥିବା ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ଖୁବ ଶୀଘ୍ର ପାଣି ଯୋଗାଣ ସ୍ବଭାବିକ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ