ଅନୁଗୋଳ:ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ରରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟୀକାଦାନ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଟିକାଦାନ ଆରମ୍ଭ ହେବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆ ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କ୍ୟାମ୍ପେନ ମୋଡରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୫୩ଟି ଟୀକାକରଣ କେନ୍ଦ୍ରରେ ଦୁଇ ଦିନ ପାଇଁ ଟିକାଦାନ କରାଯାଇଥିଲା । ଏହାପରେ ଜିଲା ମୁଖ୍ୟ ଡାକ୍ତରଖାନା ସମେତ ସମସ୍ତ ପିଏଚସି, ସିଏଚସି ଓ ଛୋଟ ମୋଟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରାୟ ୨୯ଟି କେନ୍ଦ୍ରରେ ଟୀକାକରଣ କରାଯାଉଥିଲା । କିନ୍ତୁ ଆଜି ଠାରୁ ଟିକା ମହଜୁଦ ନଥିବା କାରଣରୁ ଟୀକା ଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅନୁଗୋଳ ଜିଲ୍ଲାରେ ୧୨ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି ।