ଅନୁଗୋଳ: ଅନ୍ୟର ମୁହଁରେ ହସ ଦେଖିବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ । ଫାଉଣ୍ଡେସନର ନାମ ଅନୁସାରେ ସେମାନେ ମଧ୍ୟ ଅସହାୟଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । କୋରୋନା ମହାମାରୀ ଲକଡାଉନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସେମାନେ ଅସହାୟ ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ଜିଲ୍ଲାରେ କାର୍ଯ୍ୟ କରୁଥିବା ଉଦ୍ୟମ ଫାଉଣ୍ଡେସନର ଯୁବଗୋଷ୍ଠୀ ଏପରି ମହତ କାର୍ଯ୍ୟ ଜାରି ରଖିଛନ୍ତି ।
ସେମାନେ ପାଉଁରୁଟି, କଦଳୀ, ସିଝା ଅଣ୍ଡା ଓ କ୍ଷୀରକୁ ପ୍ୟାକିଂ କରି ଅସହାୟଙ୍କୁ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ 10ଟାରୁ ଏମାନେ ଖାଦ୍ୟ ବାଣ୍ଟୁଛନ୍ତି । ଯଦି କେହି ତାଙ୍କ ପାଖରୁ ଆସି ଖାଦ୍ୟ ନେଇ ପାରୁନାହାନ୍ତି ତେବେ ସେମାନେ ରୋଗୀଙ୍କ ପାଖକୁ ଯାଇ ଖାଦ୍ୟ ବଣ୍ଟନ କରୁଛନ୍ତି । ରାଜ୍ୟରେ ଲକଡାଉନ ଜାରି ରହିଥିବାରୁ ରୋଗୀଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦୋକାନ ବଜାର ବନ୍ଦ ଥିବାରୁ ବାହାରେ ଖାଦ୍ୟ ମଧ୍ୟ ମିଳୁନଥିଲା । ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଉଦ୍ୟମ ଫାଉଣ୍ଡେସନର ଯୁବକମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ।