ଓଡିଶା

odisha

ETV Bharat / state

ଅନୁଗୋଳ ଆକଶରେ ବିଷ ବଳୟ, ମଣିଷ ସୁସ୍ଥ ଭାବେ ବଞ୍ଚିବା ସହଜ ନୁହେଁ - polluted areas

ଟିକ୍‌ ଟିକ୍‌ କରି ଗଡିବାରେ ଲାଗିଛି ସମୟ । ଆଉ ସେପଟେ ପ୍ରଦୂଷଣର ଭୟାବହ ସ୍ଥିତି ଆଡକୁ ପ୍ରବେଶ କରୁଛି ବିଶ୍ବ । କାରଣ ପ୍ରଦୂଷଣର ମୋଟା ଆସ୍ତରଣ ଧିରେ ଧିରେ ପରିବେଶକୁ ଆଚ୍ଛାଦିତ କରିବାରେ ଲାଗିଛି । ଆଧୁନିକତାର ବଶବର୍ତ୍ତୀ ହୋଇ ମନୁଷ୍ୟ ସମାଜ ପରିବେଶ ପ୍ରତି ଭୁଲି ଯାଇଛି ନିଜର ପରମ କର୍ତ୍ତବ୍ୟ । ବିଶ୍ବ ସମେତ ଦେଶର ବାୟୁମଣ୍ଡଳ ଦୂଷିତ ହେଉଥିବା ବେଳେ ଆସିଛି ଭାରତ ସରକାରଙ୍କ ପରିବେଶ ସର୍ବେକ୍ଷଣ ରିପୋର୍ଟ । ଯେଉଁଥିରେ ଓଡିଶାର 7ଟି ଅଞ୍ଚଳ ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ତାଳଚେର ଓ ଅନୁଗୋଳ ସହର । ଅଧିକ ପଢନ୍ତୁ...

ବିଷ ବଳୟରେ ଛଟପଟ ଅନୁଗୋଳ, ସାଧାରଣ ଜୀବନଯାତ୍ରା ପ୍ରଭାବିତ
ବିଷ ବଳୟରେ ଛଟପଟ ଅନୁଗୋଳ, ସାଧାରଣ ଜୀବନଯାତ୍ରା ପ୍ରଭାବିତ

By

Published : Apr 29, 2021, 9:03 PM IST

Updated : Apr 30, 2021, 4:01 PM IST

ଅନୁଗୋଳ:ସାରା ଦେଶରେ ପ୍ରଦୂଷଣ ହାର ବଢି ବଢି ଚାଲିଛି। ଭାରତ ସରକାରଙ୍କ ସର୍ବେକ୍ଷଣ ଅନୁସାରେ ଦେଶରେ ୧୦୨ଟି ଅଞ୍ଚଳ ସର୍ବାଧିକ ପ୍ରଦୂଷିତ। ସେଥି ମଧ୍ୟରୁ ଓଡ଼ିଶାରେ ୭ଟି ଅଞ୍ଚଳ ଅନ୍ତର୍ଭୁକ୍ତ । ସେହି ୭ଟି ଅଞ୍ଚଳ ଭିତରେ ଅନୁଗୋଳ ଜିଲ୍ଲାର ତାଳଚେର ଓ ଅନୁଗୋଳ ସହର ରହିଛି । ଭାରତ ସରକାରଙ୍କ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଏହି ୨ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଯାହାକି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି । ତେଣୁ ଏହି ଦୁଇଟି ପ୍ରଦୂଷିତ ଅଞ୍ଚଳକୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଗତ ୨୦୧୯-୨୦ରୁ ପ୍ଲାନ ପ୍ରସ୍ତୁତି ଶେଷ ହୋଇ ଆର୍ଥିକ ମଞ୍ଜୁରୀ ସରିଥିଲେ ମଧ୍ୟ କାର୍ଯ୍ୟକାରୀ ହେବାରେ ବାଧକ ସାଜିଛି କରୋନା କଟକଣା ।

ବିଷ ବଳୟରେ ଛଟପଟ ଅନୁଗୋଳ, ସାଧାରଣ ଜୀବନଯାତ୍ରା ପ୍ରଭାବିତ


ଏହି ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଲୋକେ ଘରୁ ବାହାରିଲେ ପ୍ରଦୂଷଣର ବିଷ ବଳୟ ଭେଦ କରି ଯାତାୟତ କରିବାକୁ ପଡୁଛି । ଯୁଆଡେ ଚାହିଁଲେ ଖାଲି ଧୂଳି ଧୂଆଁ । କୂଅ, ପୋଖରୀ, ଘର ଅଗଣା, ଗଛପତ୍ର ସବୁଆଡେ ଧୂଳିର ଆସ୍ତରଣ ଜମୁଛି । ଦିନକୁ ଦିନ ପରିସ୍ଥିତି ଏତେ ଜଟିଳ ହେଲାଣି ବଞ୍ଚିବା କଷ୍ଟକର ହୋଇପଡୁଛି । ନାନା ପ୍ରକାର ରୋଗର ଶିକାର ହେଉଛନ୍ତି ଅଧିକାଂଶ ଲୋକ । ସର୍ବେକ୍ଷଣ ରିପୋର୍ଟ ଅନୁସାରେ ତାଳଚେର ଅଞ୍ଚଳରେ ବ୍ୟାପକ କୋଇଲା ଖଣି ଏବଂ କାରଖାନା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ କୋଇଲା ଖଣିରୁ ଦୈନିକ ହଜାର ହଜାର ସଂଖ୍ୟାରେ କୋଇଲା ବୋଝେଇ ଟ୍ରକ ଯାତାୟତ କରୁଛି । ସେହିପରି କାରଖାନାଗୁଡିକୁ ବାହାରୁ ସବୁଦିନେ ଶତାଧିକ ଟ୍ରକ ଯୋଗେ କଞ୍ଚାମାଲ ଆସୁଛି । ତେଣୁ ଆବଶ୍ୟକତା ଠାରୁ ଅଧିକ ଗାଡି ଚଳାଚଳ ଯୋଗୁଁ ହିଁ ପ୍ରଦୂଷଣ ବଢୁଥିବା ରିପୋର୍ଟରେ ଦର୍ଶାଯାଇଛି । ଏହାବ୍ୟତୀତ ଏଠାରେ ପର୍ଯ୍ୟାପ୍ତ କୋଇଲା ମିଳୁଥିବାରୁ ବହୁ ସଂଖ୍ୟାରେ ଢ଼ାବା ହୋଟେଲ ଓ ବସ୍ତି ଗୁଡିକରେ ଲୋକେ କୋଇଲା ଜାଳି ରୋଷେଇ କରୁଛନ୍ତି । ଯାହାକି ପ୍ରଦୂଷଣର ଅନ୍ୟ ଏକ କାରଣ ବୋଲି ଉଲ୍ଲେଖ କରାଯାଇଛି । ନିୟନ୍ତ୍ରଣ ଓ ପ୍ରତିକାର ଅଭାବରୁ ଦିନକୁ ଦିନ ଏହା ବଢି ଚାଲିଛି । ଅନୁଗୋଳ ଓ ତାଳଚେର ଅଂଚଳର ବାୟୁ ମଣ୍ଡଳରେ pm10, pm2.5, ସଲଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଆଦି ମାତ୍ରା ଯେତିକି ରହିବା କଥା ତାଠାରୁ ଯଥେଷ୍ଟ ଅଧିକ ରହୁଛି । ଯାହାକି ମଣିଷ ସୁସ୍ଥ ଭାବେ ବଞ୍ଚିବା ଆଦୌ ସହଜ ନୁହେଁ ବୋଲି ଜଣାପଡିଛି ।

ତେବେ ଏହି ଦୁଇଟି ଅଂଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭାରତ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଏନଭରମେଣ୍ଟ ଏଣ୍ଡ ପଲ୍ୟୁସନ ବିଭାଗ ଏବଂ ସେଣ୍ଟର ଫର ସାଇନ୍ସ ଏଣ୍ଡ ଟେକନୋଲୋଜି ମିଳିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ଗତ ୨୦୧୯-୨୦ରେ ଏଥିପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ପ୍ଲାନ ଅନୁସାରେ ପରିବହନ ବିଭାଗ ଓ ଖଣି ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ କଡା ତାଗିଦ କରାଯାଇଛି । ବିଶେଷ କରି ଯାନବାହାନଗୁଡ଼ିକ ନିୟନ୍ତ୍ରଣ ପାଇଁ ଉଚ୍ଚମାନର ଇଞ୍ଜିନ ବ୍ୟବହାର କରିବା, ଅତି ପୁରୁଣା ଗାଡିଗୁଡିକୁ ହଟାଇବା ସହ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ପ୍ରତ୍ୟକ ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ କରିଡର ରୋଡ଼ଗୁଡିକୁ ତୁରନ୍ତ ଶେଷ କରିବା, ଟ୍ରକ ଚଳାଚଳ କରୁଥିବା ରାସ୍ତା ଗୁଡିକରେ ନିୟମିତ ପାଣି ସିଂଚନ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା ଏବଂ ସବୁ ଖଣି ନିଶ୍ଚିତ ଭାବେ ଅନଲାଇନ ମନିଟରିଂ ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହି ପଦକ୍ଷେପଗୁଡିକ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଇବାକୁ ତାଳଚେର ଅଞ୍ଚଳ ପାଇଁ ଏନଆଇଟି ଏବଂ ଅନୁଗୋଳ ପାଇଁ ଆଇଆଇଟି ଖଡ଼ଗପୁରକୁ ଦାୟିତ୍ୱ ଦିଆସରିଛି ।

ତାଳଚେର ଅଞ୍ଚଳରେ କାମ କିଛି ଅଗ୍ରଗତି ହୋଇଥିବା ବେଳେ ଅନୁଗୋଳରେ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । ଗତବର୍ଷ କୋରୋନା କଟକଣା ଏଥିରେ ବାଧକ ସାଜିଥିଲା । ଚଳିତ ବର୍ଷ କୋରୋନାର ଦ୍ଵିତୀୟ ଲହର ପୁଣି ଅସୁବିଧା ସୃଷ୍ଟି କରିଛି । ତାଳଚେର ଅଂଚଳରେ ଖଣିଗୁଡିକରେ ୬ଟି ଅନଲାଇନ ମନିଟରିଂ ସିଷ୍ଟମ ଲଗାଯାଇଛି । ଅନୁଗୋଳ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ପରିସରରେ 2କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମନିଟରିଂ ମେସିନ ଲଗାଇବାକୁ ଅର୍ଥ ମଞ୍ଜୁରୀ ସରିଛି । ଅନୁଗୋଳ ପ୍ରଦୂଷଣ ବିଭାଗ ଆଞ୍ଚଳିକ ଅଧିକାରୀଙ୍କ ସୂଚନା ଅନୁସାରେ ଅନୁଗୋଳ ଓ ତାଳଚେର ପ୍ରଦୂଷଣ ସ୍ଥିତିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତର ସହ ନେଉଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ନିୟମିତ ବ୍ୟବଧାନରେ ସମସ୍ତ ୧୦୨ ଅଂଚଳର ଅଧିକାରୀମାନଙ୍କ ସହ ବୈଠକ ହେଉଛି । ଆମ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରତି ୪ମାସରେ ଥରେ ରିଭ୍ୟୁ କରି ଏନଜିଟିକୁ ରିପୋର୍ଟ ଦେଉଛନ୍ତି । କେବଳ କୋରୋନା ଯୋଗୁଁ ସାମାନ୍ୟ ବିଳମ୍ବ ହେଉଛି । ଏବେ ସମସ୍ତଙ୍କର ଅପେକ୍ଷା। କେବେ ପ୍ରଦୂଷଣ ବଳୟରୁ ମିଳିବ ମୁକ୍ତି । ତେବେ ସରକାର ଯେତେ ଯୋଜନା କଲେ ମଧ୍ୟ ମୁଖ୍ୟତଃ ଖଣି ଓ କାରଖାନା ଗୁଡିକୁ ନିୟନ୍ତ୍ରଣ କରାନଗଲେ ଯୋଜନା ଯୋଜନା ଭିତରେ ହିଁ ରହିଯିବ । ଲୋକେ ଏମିତି ପ୍ରଦୂଷଣ ଭିତରେ ଜର୍ଜରିତ ହେଉଥିବେ ବୋଲି ପରିବେଶବିତ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 30, 2021, 4:01 PM IST

ABOUT THE AUTHOR

...view details