ଓଡିଶା

odisha

ETV Bharat / state

କୋଇଲା ଖଣିରେ ଲୋଡିଂ ବିବାଦ: ପ୍ରଶାସନିକ ପଦକ୍ଷେପ ଦାବିରେ ଧାରଣା - କୋଇଲା ଖଣିରେ ଲୋଡିଂକୁ ନେଇ ବିବାଦ

କୋଇଲା ଖଣିରେ ଲୋଡିଂକୁ ନେଇ ଘନଉଛି ଦୁଇ ଗାଁ ମଧ୍ୟରେ ବିବାଦ । ଉକ୍ତ ମାମଲାରେ ପ୍ରଶାସନିକ ପଦକ୍ଷେପ ଦାବି କରି ଧାରଣାରେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Oct 28, 2019, 4:30 PM IST

ଅନୁଗୋଳ: କୋଇଲା ଖଣିରେ ଲୋଡିଂକୁ ନେଇ ଦୁଇ ଗାଁର ବିବାଦ ଏବେ ଆନ୍ଦୋଳନର ରୂପ ନେଇଛି । ଖଣି ଚଳାଇବାକୁ ଦାବି କରି ଆନ୍ଦୋଳନରେ ବସିଛନ୍ତି ସୋଲଡା ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଜିଲ୍ଲା ତାଳଚେରରେ ଥିବା ଏମସିଏଲର ବଳରାମ କୋଇଲା ଖଣି ପାଇଁ ସୋଲଡା ଓ ଡଅଁରା ଗ୍ରାମ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗିରହିଛି । ଯାହାଦ୍ବାରା କୋଇଲା ଖଣି ବନ୍ଦ ରହିବା ସହ ଖଣି ଉପରେ ନିର୍ଭର କରି ବଞ୍ଚୁଥିବା ଲୋକେ ଏବେ ଜୀବିକା ହରାଇଛନ୍ତି । ଏନେଇ ସୋମବାର ସୋଲଡା ଗାଁ ଲୋକେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ଖଣି ତୁରନ୍ତ ଚାଲୁ କରିବାକୁ ଦାବି କରିଛନ୍ତି ।

ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ଡଅଁରା ଗ୍ରାମର କିଛି ଯୁବକ ଏକଚାଟିଆ ଭାବେ ଖଣିକୁ ବନ୍ଦ କରି ରଖିଛନ୍ତି । ଯେଉଁଠି ଖଣି ଖୋଳାଯାଉଛି ସେଠାରେ ଡଅଁରା ଲୋକେ ଜୋର ଜବରଦସ୍ତ ଲୋଡିଂ କରୁଛନ୍ତି । ଏଥିସହିତ ସୋଲଡା ଗ୍ରାମବାସୀଙ୍କ ଟ୍ରକକୁ ଲୋଡିଂ କରିବାକୁ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଏନେଇ ଆପତ୍ତି କଲେ ମଧ୍ୟ ଜିଲ୍ଲାପ୍ରଶାଶନ କି ଖଣି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି । ଏଥିଯୋଗୁଁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୋଲଡା ଗ୍ରାମବାସୀ ।

ଯଦି ଆଗାମୀ ଦିନରେ ଏସମସ୍ୟାର ସମାଧାନ ନହୁଏ ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାକୁ ଧମକ ଦେଇଛନ୍ତି ଗ୍ରାମବାସୀ । ଉକ୍ତ ଆନ୍ଦୋଳନରେ ସୋଲଡ଼ା ଗାଁ ସମେତ ସତ୍ୟବାଦୀପୁର, ନାଥଗାଁ, ତେଲିପୁର ଓ ଖୁରିଙ୍ଗାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏହାର ପ୍ରତିବାଦ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details