ଅନୁଗୋଳ:ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିକଟବର୍ତ୍ତୀ ଗାଁ ଉଚ୍ଛେଦ କରାଯାଉଥିବା ନେଇ ଶୁଣିବାକୁ ମିଳୁଥିବାବେଳେ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଗ୍ରାମବାସୀମାନେ ସ୍ଥାନାନ୍ତରକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଫସଲ ଉତ୍ପାଦନ କରି ଜୀବିକା ନିର୍ବାହ କରୁଥିବା ଲୋକେ ଅନ୍ୟତ୍ର ଯିବାକୁ ରାଜି ହେଉ ନାହାନ୍ତି । ବନ ବିଭାଗ ଗାଁ ସ୍ଥାନାନ୍ତର କରିବା ବଦଳରେ ବନ୍ୟ ଜନ୍ତୁଙ୍କ ଦାଉରୁ କିଭଳି ଫସଲ ସୁରକ୍ଷିତ ରହି ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଥରେ ବିଫଳ ହେବାପରେ ପୁଣି ଥରେ ଏନଟିସିଏର ସମସ୍ତ ଗାଇଡ଼ଲାଇନ ମାନି ପ୍ରକୃତ ଭିତ୍ତିଭୂମି ସଜାଡ଼ିବାରେ ବ୍ୟସ୍ତ ବନ ବିଭାଗ । କୋର ଏରିଆ ଭିତରେ ଥିବା ଗାଁ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରି ସେଠାରେ ହରିଣ, କୁଟୁରା, ସମ୍ବର ଓ ଗୟଳ ଭଳି ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଘାସ ପଡିଆ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ରାଇଗୁଡା, ଅସନବାହାଳ, କଟରଙ୍ଗ, ଟୁଲୁକା ଆଦି ଗାଁ ଗୁଡିକୁ ସ୍ଥାନାନ୍ତର ସରିଛି । ଏବେ ଭୃକୁଣ୍ଡି ସମେତ ଆଉ କିଛି ଗାଁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି ।
ତେବେ ପୁରୁଣାକୋଟ ରେଞ୍ଜର ଜଙ୍ଗଲ ଭିତରେ ଥିବା ଛୋଟକେଇ ଗାଁ ସମେତ ଅନ୍ୟ କେତେକ ଗାଁ ସ୍ଥାନାନ୍ତରକୁ ବିରୋଧ କରାଯାଇଛି । ସୂଚନା ଅନୁସାରେ, ଛୋଟକେଇ ଗାଁରେ ୩ ଶହରୁ ଅଧିକ ପରିବାର ବସବାସ କରନ୍ତି । ଧାନ,ବାଦାମ, ମୁଗ, ବିରି, ହରଡ଼ ଓ ବିଭିନ୍ନ ପନିପରିବା ଫସଲ ଉତ୍ପାଦନ କରୁଥିବାବେଳେ ବନ୍ୟଜନ୍ତୁଙ୍କ ଦାଉରୁ ବ୍ୟାପକ ଫସଲ କ୍ଷତି ହେଉଛି । ବନ୍ୟଜନ୍ତୁ ଫସଲ ନଷ୍ଟ କରିବା ସତ୍ତ୍ବେ ମଧ୍ୟ ଯେତିକି ଫସଲ ହେଉଛି ନିଜେ ବ୍ୟବହାର କରି ବାହାରେ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି ଗ୍ରାମବାସୀ । ତେଣୁ ନିଜର ଭିଟାମାଟି ଛାଡି ଯିବାକୁ ନାରାଜ ଗ୍ରାମବାସୀ ।