ଅନୁଗୋଳ: ନିଜର ହକ ପାଇଁ ଅଭିନବ ଢଙ୍ଗରେ ଆନ୍ଦୋଳନ। 3 ଦିନ ହେଲା ପାଣି ଭିତରେ ଠିଆ ହୋଇ ଶତାଧିକ ପୁରୁଷ ଓ ମହିଳା ନିଜର ଅଧିକାର ମାଗୁଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ପାଲଲହଡା ଠାରେ ଥିବା ଦ୍ଵିତୀୟ ଚିଲିକାରେ । ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରତିବାଦ ପ୍ରଶାସନକୁ ଚିନ୍ତାରେ ପକାଇଛି।
ଗତ ୧୯୭୦ ବେଳକୁ ରେଙ୍ଗାଲି ଠାରେ ଏକ ବୃହତ ଜଳ ସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଯୋଗୁ ଜିଲ୍ଲାର ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବୁଡି ଅଞ୍ଚଳ ଭିତରେ ରହୁଥିବାରୁ ସେହିସବୁ ଗାଁ ଗୁଡିକୁ ବିସ୍ଥାପନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଫଳରେ ୧୯୮୦ ବେଳକୁ ସବୁ ଗାଁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ପ୍ରାୟ ୧୨ହଜାର ପରିବାର ପ୍ରଭାବିତ ହୋଇଥିଲେ । ସେ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରଙ୍କ ତରଫରୁ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦିଆଯାଇଥିଲା । କିନ୍ତୁ ଥଇଥାନ ବାବଦରେ ତତ୍କାଳୀନ ସରକାର କୌଣସି ପଦକ୍ଷେପ ନେଇନଥିଲା । ଫଳରେ ବିସ୍ଥାପିତ ଲୋକେ କିଏ କେଉଁଠି ଯାଇ ରହିଥିଲେ ।
ସେମାନଙ୍କୁ ଜମି ପଟା ମଧ୍ୟ ପ୍ରଦାନ କରାଗଲା ନାହିଁ । କିଛି ବର୍ଷ ପରେ ଲୋକେ ଏକାଠି ହୋଇ ନିଜର ହକ ପାଇଁ ଲଢେଇ କଲେ । ବିଭିନ୍ନ ଉପାୟରେ ଆନ୍ଦୋଳନ କଲେ । ପ୍ରାୟ ୪୦ବର୍ଷ ଧରି ସେମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି ।ଗତ ପ୍ରାୟ ୧୦ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳକୁ ଆସି ଲୋକଙ୍କ ଅସୁବିଧା ଦେଖି ଏକର ପ୍ରତି ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ମିଳିପାରିଲା ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଗତ ୧ ତାରିଖ ଠାରୁ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି।