ଓଡିଶା

odisha

ETV Bharat / state

ମନ୍ତ୍ରୀଟିଏ ଦେଲେନି ନବୀନ, ତେଜୁଛି ଅନୁଗୋଳବାସୀଙ୍କ କ୍ରୋଧ - bjd mla

ଚଳିତ ଥର ଗଠିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାକୁ ମିଳିନାହିଁ ସ୍ଥାନ। ଗତଥର ମନ୍ତ୍ରିମଣ୍ଡଳରୁ ମଧ୍ୟ ବାଦ ପଡିଥିଲା ଜିଲ୍ଲା। ଯାହାକୁ ନେଇ ଅନୁଗୋଳବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ। ଏହା ଜିଲ୍ଲା ପ୍ରତି କରାଯାଉଥିବା ଅବହେଳାର ନିଚ୍ଛକ ନମୂନା ବୋଲି ସାଧାରଣରେ ଆଲୋଚନା ହେଉଛି।

ଫାଇଲ ଫଟୋ

By

Published : Jun 3, 2019, 3:32 PM IST

ଅନୁଗୋଳ: ସରିଯାଇଛି 2019 ରାଜ୍ୟ ବିଧାନସଭା ନିର୍ବାଚନ । ଆଉ ଏହାରି ମଧ୍ୟରେ ଗଠିତ ହୋଇସାରିଛି ନୂତନ ମନ୍ତ୍ରିମଣ୍ଡଳ । କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଭାର ବିଜୁ ଜନତା ଦଳ (ବିଜେଡି) ହାତକୁ ଯାଇଛି । ଦଳର ଏହି ସଫଳତା ଦଳୀୟ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ମାତ୍ର ଅନୁଗୋଳବାସୀଙ୍କ ମନରେ ଖେଳିଯାଇଛି ନିରାଶା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଚଳିତ ନିର୍ବାଚନରେ ଶାସକ ବିଜେଡି ଅଦ୍ଭୂତପୂର୍ବ ଜନସମର୍ଥନ ପାଇଥିଲେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ଜିଲ୍ଲାର କୌଣସି ବିଧାୟକ ସାମିଲ ହୋଇନଥିବାରୁ ଅସନ୍ତୁଷ୍ଟ ହୋଇ ଉଠିଛନ୍ତି ଜିଲ୍ଲାବାସୀ । ଚଳିତ ନିର୍ବାଚନରେ ଜିଲ୍ଲାର ସମସ୍ତ 5 ବିଧାନସଭା ଆସନରେ ବିଜେଡି ବିଧାୟକ ଜିତିଥିଲେ ମଧ୍ୟ ମନ୍ତ୍ରୀପଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଏନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ । ଏହା ଦ୍ବାରା ଜିଲ୍ଲା ପ୍ରତି ଅବହେଳା କରାଯାଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଗତ ୨୦୧୪ ନିର୍ବାଚନରେ ଅନୁଗୋଳର ୫ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ି ବିଧାୟକ ବିପୁଳ ବିଜୟ ଲାଭ କରିଥିଲେ । ଯାହାର ପୁନରାବୃତ୍ତି ଚଳିତ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଛି । ଦଳର ବରିଷ୍ଠ ବିଧାୟକ ରଜନୀକାନ୍ତ ସିଂହ ଏଥରକୁ ମିଶାଇ ଅନୁଗୋଳ ବିଧାନସଭା ଆସନରୁ କ୍ରମାଗତ ଭାବେ ଚତୁର୍ଥ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସବୁଠାରୁ ଲୋକପ୍ରିୟ ଭାବେ ଜଣାଶୁଣା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ।

ସେହିପରି ଜିଲ୍ଲାର ଛେଣ୍ଡିପଦା ଆସନରୁ ବିଧାୟକ ସୁଶାନ୍ତ କୁମାର ବେହେରା ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିବା ବେଳେ ଆଠମଲ୍ଲିକ ଆସନରୁ ଏଥର ବିଧାୟକ ଭାବେ ନବାଗତ ରମେଶ ଚନ୍ଦ୍ର ସାଏ ବିପୁଳ ବ୍ୟବଧାନରେ ଜିତିଛନ୍ତି । ଅନ୍ୟପଟେ ପାଳଲହଡା ବିଧାୟକ ଭାବେ ପ୍ରଥମ ଥର ଟିକେଟ ପାଇ ମୁକେଶ ପାଲ ମଧ୍ୟ ବାଜିମାତ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଜିଲ୍ଲାରେ ବିଜେଡ଼ିକୁ ଅଦ୍ଭୂତପୂର୍ବ ଜନ ସମର୍ଥନ ମିଳିଛି ।

ସେହି ହିସାବରେ ଜିଲ୍ଲାବାସୀ ବେଶ ଆଶା ବାନ୍ଧି ବସିଥିଲେ ଯେ ଏଥର ଜିଲାରୁ ଜଣେ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ଅଭିଜ୍ଞତା ଦୃଷ୍ଟିରୁ ରଜନୀକାନ୍ତ ସିଂହ କିମ୍ବା ଲୋକପ୍ରିୟତା ଦୃଷ୍ଟିରୁ ବ୍ରଜ କିଶୋର ପ୍ରଧାନଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧିବାକୁ ମିଳିବ ବୋଲି ଅନୁଗୋଳବାସୀ ଆଶା ରଖିଥିଲେ । ଅନ୍ୟପକ୍ଷରେ ଏଥର କିଛି ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ପ୍ରାୟ ୪୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ମନ୍ତ୍ରୀ ପଦ ମିଳିବାର ଆଶା କରାଯାଉଥିଲା ।

ଏଥର ମଧ୍ୟ ନିରାଶ ହେବାକୁ ପଡ଼ିଥିଲା ଜିଲାବାସୀଙ୍କୁ। ଗତ ୨୦୧୪ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଅନୁଗୋଳର କାହାକୁ ମନ୍ତ୍ରୀ ଦାୟିତ୍ବ ମିଳି ନଥଲା । ଏଥର ମଧ୍ୟ ମିଳିଲା ନାହିଁ । ତେଣୁ ଅନୁଗୋଳ ପ୍ରତି ବୈମାତୃକ ମନୋଭାବର ଏହା ନିଚ୍ଛକ ନମୁନା ବୋଲି ଜିଲାବାସୀ ଆଲୋଚନା କରୁଛନ୍ତି । ଏହାକୁ ନେଇ ଏବେ ଜିଲା ବ୍ୟାପୀ ଚର୍ଚ୍ଚା ଜୋର ଧରିଛି । କେବଳ ଗତ ୨୦୦୯ ମନ୍ତ୍ରୀମଣ୍ଡଳରେ ସଞ୍ଜୀବ ସାହୁ ଓ ରଜନୀକାନ୍ତ ସିଂହଙ୍କୁ ଅଳ୍ପ ଦିନ ପାଇଁ ମନ୍ତ୍ରୀ ପଦ ଦିଆ ଯାଇଥିଲା । ଗତ 2014 ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାରେ ବାଦ ପଡିଥିଲା ଜିଲ୍ଲା। ଏଥର ମଧ୍ୟ ସମାନ ସ୍ଥିତ ଦେଖିବାକୁ ମିଳିଛି।

ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଅନୁଗୋଳ । ଦିନ ଥିଲା ଏହାକୁ ରାଜ୍ୟର ରାଜଧାନୀ କରିବାକୁ ଯୋଜନା କରାଯାଇଥିଲା । ଅର୍ଥନୈତିକ ଦୃଷ୍ଟି କୋଣରୁ ଅନୁଗୋଳ ବେଶ ସମୃଦ୍ଧଶାଳୀ। ବ୍ୟାପକ ଖଣି ଖାଦାନ ସାଙ୍ଗକୁ ଏଠାରେ ରହିଛି ବୃହତ ଶିଳ୍ପାନୁଷ୍ଠାନ। ପର୍ଯ୍ୟାପ୍ତ ପରିମାଣର କୃଷିଭୂମୀ ଏଠି ଉପଲବ୍ଧ। ଅନୁଗୋଳକୁ ରାଜ୍ୟର ଅର୍ଥନୈତିକ ରାଜଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିବର୍ଷ ରାଜ୍ୟକୁ ବାର୍ଷିକ ପ୍ରାୟ ୨୦ ହଜାର କୋଟିର ରାଜସ୍ବ ପ୍ରଦାନ କରିଥାଏ ଏହି ଜିଲ୍ଲା। ଯାହାକି ରାଜ୍ୟ ପରିଚାଳନା ପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥର ଏକ ତୃତୀୟାଂଶ ଅର୍ଥ।

ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଅନୁଗୋଳ ଜିଲାରୁ ଅତି କମରେ ଦୁଇଜଣ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ଯଥାର୍ଥତା ରହିଛି । ମାତ୍ର ବାରମ୍ବାର ଜିଲ୍ଲାକୁ ଅଣଦେଖା କରାଯାଉଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ତେବେ ମନ୍ତ୍ରୀପଦ ପାଇବାକୁ ଆଶା ରଖିଥିବା ଦଳୀୟ ନେତା ଓ କର୍ମୀ ମହଲରେ ମଧ୍ୟ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ଦଳର ବରିଷ୍ଠ ନେତା ଓ କର୍ମୀ ମୁହଁ ଖୋଲୁ ନଥିଲେ ମଧ୍ୟ ସେମାନଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ।

ସାମ୍ବାଧାନିକ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 21 ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି । ଚଳିତ ଥର ରାଜ୍ୟ କ୍ୟାବିନେଟରେ 17ଟି ଜିଲ୍ଲା ସ୍ଥାନ ପାଇଥିବା ବେଳେ 13ଟି ବାଦ ପଡିଛି। ମନ୍ତ୍ରୀପଦକୁ ନେଇ ଦେଖା ଦେଇଥିବା ଅସନ୍ତୋଷକୁ ଦଳୀୟ ମୁଖିଆ କିଭଳି ଭାବେ ସମାଧାନ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details