ଅନୁଗୋଳ:ରାଜନୀତିର ପଶା ପାଲିରେ ତାଳଚେର ମେଡ଼ିକାଲ କଲେଜ । ଏହି ମେଡିକାଲ କଲେଜକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହା କେବେ ଚାଲିବା ଆଉ କିଏ ଚଳାଇବ ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ସେଥିରେ ବିଳମ୍ବ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଘଣ୍ଟପାଡା ପଞ୍ଚାୟତବାସୀ ।
ସୂଚନାଯୋଗ୍ୟ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହାକୁ ଚାଲୁ କରିବା ପାଇଁ ବାରମ୍ବାର ତାଳଚେରବାସୀ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସରୁ ଚାଲୁ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ତାହା ହୋଇ ପାରିନାହିଁ । ଏହାରି ମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଏହା ଚାଲୁହୋଇ ପାରିବ ନାହିଁ । ତେଣୁ ଏହାର ପ୍ରତିବାଦରେ ଘଣ୍ଟାପଡା ପଞ୍ଚାୟତବାସୀଙ୍କ ଧାରଣା ଦେଇଛନ୍ତି । ତେବେ ଆନ୍ଦୋଳନକରୀଙ୍କ ଦାବି ହେଲା ଯଦି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ ନ କରାଯିବ,ତାହାଲେ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ । ତାଳଚେର ଅଞ୍ଚଳରୁ ବାହାରକୁ ଖଣ୍ଡେ କୋଇଲା ଛଡ଼ାଯିବ ନାହିଁ ଚେତାବନୀ ଦେଇଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ପ୍ରତିବାଦ । ନିକଟରେ ରାଜ୍ୟ ସରକାରଙ୍କ ଘୋଷଣା ଧୂଆଁବାଣ । ତାଳଚେର ମେଡ଼ିକାଲ କଲଜେ କାର୍ଯ୍ୟକ୍ଷମ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ କଯ୍ୟକାରୀ ହେଲା ନାହିଁ । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।