ଅନୁଗୋଳ:ତାଳଚେର ଥର୍ମାଲ ବନ୍ଦ ପ୍ରତିବାଦରେ ଚାରି ଘଣ୍ଟିଆ ଅର୍ଥନୈତିକ ବନ୍ଦ ପାଳନ କରିଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ଆନ୍ଦୋଳନ ପ୍ରଭାବରେ ଚାରି ଘଣ୍ଟା ପାଇଁ ସବୁ ଠପ ହୋଇଯାଇଛି । ଗଡିଲାନି କୋଇଲା ଟ୍ରକ ଓ ଟ୍ରେନ ।
ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦକୁ ବିରୋଧ ସୂଚନାଅନୁସାରେ, ପରିବେଶ ପ୍ରଦୂଷଣର ଆଳ ଦେଖାଇ ସରକାର ଚାଲୁଥିବା ତାଳଚେର ଥର୍ମାଲ ପ୍ଲାଣ୍ଟକୁ ବନ୍ଦ କରି ହଜାର ହଜାର ଶ୍ରମିକଙ୍କ ପେଟରେ ଲାତ ମାରିଛନ୍ତି ବୋଲି କହିଛନ୍ତି ଆନ୍ଦୋଳନକାରୀ । ତାଳଚେର ଥର୍ମାଲରୁ କୋଇଲା ଗଲେ ବାହାରେ କମ୍ପାନୀ ଚାଲୁଛି । ହେଲେ ଏଠାରେ କାରଖାନାକୁ ବନ୍ଦ କରି ଦିଆଯାଉଛି ।
ଏହାର ପ୍ରତିବାଦ କରି ଆଜି ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ତାଳଚେର କ୍ରିୟାନୁଷ୍ଠାନ କମିଟି ତରଫରୁ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । କମିଟିର ଶତାଧିକ ସଦସ୍ୟ ବିଭିନ୍ନ କୋଇଲା ଖଣି ଆଗରେ ଧାରଣାରେ ବସି ରହିଥିଲେ । ଖଣିରୁ ବିଭିନ୍ନ କାରଖାନାକୁ କୋଇଲା ପରିବହନ ହେଉଥିବା କୋଲ କରିଡର ଗୁଡିକୁ ଅବରୋଧ କରିଛନ୍ତି ।
କୋଇଲା ପରିବହନ ରେଳପଥ ଗୁଡିକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଟ୍ରକ ଓ ରେଳ ଯୋଗେ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପ୍ଲାଣ୍ଟ ବନ୍ଦକୁ ତାଳଚେରବାସୀ ଆଦୌ ବରଦାସ୍ତ କରିବେ ନାହିଁ । ପ୍ଲାଣ୍ଟ ଚାଲୁ ନହେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି କମିଟି ଚେତାବନୀ ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ