ଅନୁଗୋଳ:ପାର୍ବଣ ଋତୁରେ ଜଗତ ଜନନୀଙ୍କ ବିଦାୟ ପରେ ଧରାବତରଣ କରିବେ ଧନଦାତ୍ରୀ ମା' ଗଜଲକ୍ଷ୍ମୀ । ମା'ଙ୍କ ଆବାହନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ। ସହରର ବିଭିନ୍ନ ପୂଜା ମଣ୍ଡପରେ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଶିଳ୍ପୀମାନେ ମା'ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳରେ ବେଶ ଧୁମଧାମରେ ପାଳନ ହେବ ଗଜଲକ୍ଷ୍ମୀ ପୂଜା ।
ଦିନକ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଗଜଲକ୍ଷ୍ମୀ । ମା'ଙ୍କ ଆଗମନ ପୂର୍ବରୁ ସାରା ଅନୁଗୋଳ ସଜେଇ ହେଲାଣି । ସବୁଠି ପ୍ରସ୍ତୁତି ପର୍ବ ଚାଲିଛି । କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛି ଗୁରୁତ୍ଵ । ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶିଳ୍ପୀ ଓ କାରିଗର । ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରମାନେ ଆସିଛନ୍ତି । ଚଳିତ ଥର ବଜାର ଛକ ପୂଜା କମିଟି ସମୁଦ୍ର ନଗରି ସଦୃଶ ସାଜସଜ୍ଜା କରାଯାଉଛି । ସେହିପରି ସହରର ସବୁଠୁ ପୁରୁଣା ଲକ୍ଷ୍ମୀ ବଜାର ଏଥର ଆଲୋକ ସଜ୍ଜା ଉପରେ ଅଧିକ ଗୁରୁତ୍ଵ ଦେଉଛି । ଏନେଇ ପୂଜା କମିଟି ସମ୍ପାଦକ କହିଛନ୍ତି, " ବିଗତ 60 ବର୍ଷ ହେବ ଅନୁଗୋଳରେ ଗଜଲକ୍ଷ୍ମୀ ପୂଜା ହୋଇ ଆସୁଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ସବୁ ବର୍ଷ ଭିନ୍ନ ଭିନ୍ନ ତୋରଣ କରାଯାଏ । ଏବର୍ଷ ମଧ୍ୟ ତୋରଣ ସାଜସଜ୍ଜା ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଛି।"