ଭୁବନେଶ୍ବର/ଅନୁଗୋଳ: ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ରାଜ୍ୟ ସରକାରଙ୍କୁ ବଞ୍ଚାଇବା ପାଇଁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କାଯ୍ୟ କରୁଥିବା କହିଛନ୍ତି ପ୍ରଦୀପ୍ତ ।ଆଜି (ମଙ୍ଗଳବାର) ଅପରାହ୍ନରେ ଅନୁଗୋଳ ସର୍କିଟ ହାଉସ ଠାରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଭେଟି ସେ ଏହି ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି ଯେ, "ସରକାରଙ୍କୁ ବଞ୍ଚାଇବାକୁ ଯାଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ ବାଟବଣା କରିଛନ୍ତି। ସେ ସରକାରଙ୍କ ହାତ ବାରିସି ସାଜିଛନ୍ତି। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଏହି ମାମଲାକୁ ଯେକୌଣସି ପ୍ରକାରେ ବନ୍ଦ କରିବା ।"
'BJDର ହାତ ବାରିସି ଅରୁଣ ବୋଥ୍ରା' ଏସଆଇଟି ତଦନ୍ତର ଉଦ୍ଦେଶ୍ୟକୁ ନେଇ ଯାହା ସନ୍ଦେହ ଆମେ କରୁଥିଲୁ ଶେଷରେ ସେହି ସନ୍ଦେହ ସତ ପ୍ରମାଣିତ ହୋଇଛି । ଅସଲ ଦୋଷୀକୁ ଖସାଇବା ପାଇଁ ସରକାର ରଚିଥିବା ଷଡଯନ୍ତ୍ରକୁ ଆଜି ଏସଆଇଟି ମୋହର ମାରିଛି । ଏସଆଇଟିର ମୁଖ୍ୟ ଆଜି ସାମ୍ବାଦିକ ସମ୍ମିଳନିରେ ଯେଉଁ ତଥ୍ୟ ରଖିଛନ୍ତି ତାହା ବିଶ୍ବାସଯୋଗ୍ୟ ନୁହେଁ, ମନଗଢା କାହାଣି ଭଳି ଲାଗୁଛି । ପରୀର ହତ୍ୟା ଅଙ୍ଗତସ୍କରୀ ପାଇଁ ନୁହେଁ ବଂର ଦୁଷ୍କର୍ମ ପାଇଁ ହୋଇଛି ବୋଲି ଏସଆଇଟି ଯେଉଁ ଯେଉଁ ପ୍ରମାଣ ସବୁ ରଖୁଛନ୍ତି ସେଥିରୁ ଗୋଟିଏ ବି ପ୍ରମାଣ ନିଶ୍ଚିନ୍ତ ଓ ବିଶ୍ବାସ ଯୋଗ୍ୟ ଯୁକ୍ତି ଆଧାରିତ ନୁହେଁ । ଅରୁଣ ବୋଥ୍ରା ମିଛ କହୁଛନ୍ତି । ପରୀ ହତ୍ୟାକୁ ଓଡିଶାର ଜନସାଧାରଣ ବର୍ତମାନ ଆହୁରି ଦ୍ବନ୍ଦ ଭିତରକୁ ଯାଇଛନ୍ତି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମୁଁ ଆଉଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ବୋଲି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।
'BJDର ହାତ ବାରିସି ଅରୁଣ ବୋଥ୍ରା' ବିରୋଧୀଦଳ ନେତା ନାଏକ କହିଛନ୍ତି ଯେ, ଯଦି ପରୀର ଦୁର୍ଷ୍କମ ହୋଇଥିଲା, ତାହେଲେ ଆଜି ଯାହାକୁ ଅଭିଯୁକ୍ତ କୁହାଯାଉଛି, ସରୋଜ ସେଠି ସେ କଣ ଏତେ କ୍ଷମତାଶାଳୀ ଥିଲେ ଯେ ନୟାଗଡ ପୋଲିସ ତାଙ୍କୁ ୪ ମାସ କାଳ ସୁରକ୍ଷା ଦେଇ ଗିରଫ କରୁନଥିଲା । ସେଥିପାଇଁ ଏସଆଇଟିର ଆବଶ୍ୟକତା ପଡିଲା ଦ୍ବିତୀୟ କଥା ମୃତ ଶରୀରର ଅନ୍ୟ ଅଙ୍ଗ ଗୁଡିକ କୁଆଡେ ଗଲା ? ମୃତ ଶରୀରରେ କେମିକାଲ କାହିଁକି ଲଗାଯାଇଥିଲା ? ଲଗାଯାଇଥିବା କେମିକାଲ କେବଳ ଡାକ୍ତରଖାନାରେ ହିଁ ମିଳେ । ତାହେଲେ ସରୋଜ କେଉଁଠୁ କେମିକାଲ ଆଣିଲ ? ତାକୁ କିଏ କେମିକାଲ ଦେଲା? ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହୁଛନ୍ତି ଯେ କେମିକାଲ ଲାଗିନଥିଲା । ଯଦି କେମିକାଲ ଲାଗିନଥିଲା ତାହେଲେ ମୃତ ଶରୀରରୁ ୯ ଦିନ ପରେ ବି କେମିତି ଗନ୍ଧ ବାହାରୁ ନଥିଲା ବୋଥ୍ରା ବାବୁ କହିବେ କି ? ଯଦି ଦୁର୍ଷ୍କମ ହୋଇଥିଲା ନୟାଗଡ ପୋଲିସ କିପରି ତାର ତଦନ୍ତରେ ଜାଣି ପାରିଲାନି । ଏସଆଇଟି ଯାହା କହୁଛି ତାହା ନୟାଗଡ ଜିଲ୍ଲା ପୋଲିସ କାହିଁକି ଲୁଚାଉଥିଲା ? ପୋଲିସଙ୍କର ଡଗ ସ୍କୁଆଡ କିପରି ଜାଣି ପାରିଲାନି । ଏସବୁ କଥାକୁ ତର୍ଜମା କରିଲେ ଏସଆଇଟିର ତଦନ୍ତର ନିର୍ଷ୍କସ ଉପରେ ସନ୍ଦେହ ସ୍ୱାଭାବିକ । ଏକ ରାଜନୈତିକ ଦଳର ଛବିକୁ ବଂଚାଇବା ପାଇଁ ଅଙ୍ଗତସ୍କରି ଭଳି ଭୟଙ୍କର ଅମାନବୀୟ ଅପରାଧର ଅପରାଧୀମାନଙ୍କୁ ସରକାର ବର୍ତମାନ ଏସଆଇଟି ମାଧ୍ୟମରେ ଖସାଇ ଦେବା ପାଇଁ ଯାଉଛନ୍ତି ଯାହା ଲଜ୍ଜାଜନକ । ଗୁଗୁଲ ହିଷ୍ଟୋରି ଡିଲିଟର ରିପୋର୍ଟ ଏସଆଇଟି ପାଖେ ନାହିଁ । ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ଏସଆଇଟିର ହସ୍ତଗତ ହୋଇନାହିଁ । ପଲିଗ୍ରାଫି ରିପୋର୍ଟର ସ୍ପଷ୍ଟତା ଉପରେ ସନ୍ଦେହ ଉପୁଜିଲାଣି । ଯଦୁପୁରର ଗାଁ ଲୋକ ଏସଆଇଟିର କଥାକୁ ବିଶ୍ୱାସ କରୁନାହାନ୍ତି । ଗିରଫ ହୋଇଥିବା ସରୋଜ ସେଠୀ ପୁର୍ବରୁ ଅଭିଯୋଗ କରିଥିଲା କି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ତାକୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ । ଏପରି ପରିସ୍ଥିତିରେ ଏସଆଇଟିର ତଦନ୍ତର ପକ୍ଷପାତିତା ଓ ଅନିୟମିତତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ନାଏକ କହିଛନ୍ତି ।
ନାଏକ କହିଛନ୍ତି ଯେ ପରୀର ବାପା ମା, ଯାହାଙ୍କର ଝିଅର ହତ୍ୟା ହୋଇଛି ତାଙ୍କର ବୟାନକୁ ଏସଆଇଟି କାହିଁକି ତଦନ୍ତ ପରିସରଭୁକ୍ତ କରିଲା ନାହିଁ ଏହା ଏକ ବଡ ପ୍ରଶ୍ନ । ଆଜିବି ପରୀର ମା କହୁଛନ୍ତି ସରୋଜକୁ ବିନା ଦୋଷରେ ଏସଆଇଟି ଗିରଫ କରିଛି । ଏସଆଇଟି ଯଦି ସରୋଜର ପଲିଗ୍ରାଫ ପରୀକ୍ଷା କରିଲା ତାହେଲେ ଯାହା ନାଁରେ ଅଭିଯୋଗ ଥିଲା ବାବୁଲି ନାଏକର କାହିଁକି ପଲିଗ୍ରାଫ ଟେଷ୍ଟ କରିଲା ନାହିଁ ? ପରୀର ବାପା ମାଙ୍କୁ ପୋଲିସ କାହିଁକି ୫ ଲକ୍ଷ ଟଙ୍କା ନେଇ ପରୀର ବଡ ବାପା ଓ ମା ତାକୁ ମାରିଛନ୍ତି ବୋଲି ବୟାନ ଦେବା ପାଇଁ ଚାପ ପକାଉଥିଲା ? ଓଡିଶା ପୋଲିସର ଏହି ଘଟଣାକୁ ନେଇ ତଦନ୍ତରେ ଏପରି ଅଦଭୁତ ଆଚରଣ ଆଗରୁ ମୋ ରାଜନୈତିକ ଜୀବନରେ କେବେ ଦେଖିନଥିଲି । ଘଟଣାର ଗୁରୁତ୍ୱକୁ ଦେଖି ମୁଁ ଆଉଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଏହି ଘଟଣାକୁ ସିବିଆଇକୁ ତଦନ୍ତ ପାଇଁ ଦିଆଯାଉ ।
ଭୁବନେଶ୍ବରରରୁ ଜ୍ଞାନଦର୍ଶୀ ସାହୁ ଓ ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ