ଓଡିଶା

odisha

ETV Bharat / state

ଦୁଃଖ ବୁଝିଲେ ସରକାର, ଜଳବନ୍ଦୀରୁ ମୁକୁଳିବେ ସାତକୋଶିଆବାସୀ - ସାତକୋଶିଆ ଅଭ୍ୟାୟରଣ୍ୟ

ଏଣିକି ସାତକୋଶିଆ ଅଞ୍ଚଳରେ ରହିବନି ଗମନାଗମନ ସମସ୍ୟା । ବନ୍ୟା ଆସିଲେ ବିଚ୍ଛିନ୍ନ ହେବାର ଭୟ କରିବେନି ଅଞ୍ଚଳବାସୀ । କାରଣ ଡେରିରେ ହେଉ ପଛେ ସାତକୋଶିଆରେ ଯାତାୟତ ସମସ୍ୟାର ପ୍ରତିକାର ପାଇଁ ୭୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଜଳବନ୍ଦୀ ରହିବେନି ସାତକୋଶିଆବାସୀ
ଜଳବନ୍ଦୀ ରହିବେନି ସାତକୋଶିଆବାସୀ

By

Published : Mar 3, 2023, 4:20 PM IST

Updated : Mar 3, 2023, 5:18 PM IST

ଜଳବନ୍ଦୀରୁ ମୁକୁଳିବେ ସାତକୋଶିଆବାସୀ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏଣିକି ରହିବ ନାହିଁ ଗମନାଗମନର ସମସ୍ୟା । ବନ୍ୟା ଆସିଲେ ବିଚ୍ଛିନ୍ନ ହେବାର ଭୟ କରିବେନି ଅଞ୍ଚଳବାସୀ । ମହାନଦୀରେ ବନ୍ୟା ହେଲେ ସାତକୋଶିଆର ପ୍ରାୟ ୫ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଜଳବନ୍ଦୀ ସମସ୍ୟା ଯୋଗୁଁ ରିଲିଫ ପହଞ୍ଚି ପାରୁନଥିବାରୁ ଲୋକେ ଭୋକ ଉପାସରେ ଦିନ କାଟନ୍ତି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବାବେଳେ ବିଳମ୍ବରେ ହେଉ ପଛେ ସାତକୋଶିଆ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳରେ ଗମନାଗମନ ସମସ୍ୟାର ପ୍ରତିକାର ପାଇଁ ବିଭିନ୍ନ ସ୍ଥାନରେ ସୁଉଚ୍ଚ ପୋଲ ନିର୍ମାଣ ଓ ରାସ୍ତାର ଉଚ୍ଚତା କରାଯିବ । ଏଥିପାଇଁ ସରକାର ୭୦ କୋଟିରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି । ଖୁବଶୀଘ୍ର ଏସବୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସରକାରଙ୍କ ଏଭଳି ପଦକ୍ଷେପ ପାଇଁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୯ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ରହିଛି । ଅଧିକାଂଶ ଗାଁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ସ୍ଥାନରେ ଅବସ୍ଥିତ । ଏହାଛଡା ଟିକରପଡା, ମଝିପଡା, ବେହେରା ସାହି, ଗଇନ୍ଦି ଓ ରାମିମୁଣ୍ଡା ଭଳି ଅନେକ ଗାଁ ମହାନଦୀ କୂଳରେ ଅବସ୍ଥିତ । ଜଙ୍ଗଲ ସୁରକ୍ଷା ଆଇନ କଟକଣା ଯୋଗୁଁ ଅଧୁକାଂଶ ଗାଁକୁ ଭଲ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇ ପାରୁନାହିଁ । ମହାନଦୀ କୂଳରେ ଥିବା ଗାଁଗୁଡିକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ନିଚ୍ଚ । ବହୁ ନାଳରେ ପୋଲ ନାହିଁ । ତେଣୁ ବର୍ଷା ଦିନେ ଏବଂ ବନ୍ୟା ଆସିଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗାଁଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରୁ ନଥିବାରୁ ଭୋକ ଉପାସରେ ରୁହନ୍ତି । ହେଲେ ଏବେ ଲୋକଙ୍କର ଦୁର୍ଦଶା ଆଉ ରହିବ ନାହିଁ ।

ବିଭିନ୍ନ ସ୍ଥାନରେ ରାସ୍ତା ଉଚ୍ଚତା ବୃଦ୍ଧି କରିବା ସହ ପୋଲ ନିର୍ମାଣ ପାଇଁ ସରକାର ୭୦ କୋଟିରୁ ଅଧିକ ଟଙ୍କାର ମଞ୍ଜୁରୀ ଦେଇଛନ୍ତି । ଅନେକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ସାତକୋଶିଆ ଅଞ୍ଚଳବାସୀ ଢେର୍ ସାରା କୃତଜ୍ଞତା ଜଣାଇଛନ୍ତି । ବନ୍ୟା ଦାଉରୁ ରକ୍ଷା ଓ ନିୟନ୍ତ୍ରଣ ପାଇଁ ଟିକରପଡା ରାସ୍ତାର ଉଚ୍ଚତା ବୃଦ୍ଧି ପାଇ ୮ କୋଟି ଟଙ୍କା ମଞ୍ଜୁରୀ ହୋଇଛି ।

ଜଗନ୍ନାଥପୁର-ଟାଇଁସି ରାସ୍ତା ପ୍ରାୟ ୯ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଜଗନ୍ନାଥପୁର-ପୁରୁଣାକୋଟ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ୮କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଇଛି । ମାନିକଯୋଡି ଠାରେ ପାହାଡ଼ କଟାଯାଇ ୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଛି । ଟାଇଁସି ଠାରୁ ଅନ୍ତୁଳିଆ ରାସ୍ତାର କଦଳିବେରେନି ଠାରେ ୫କୋଟି ୩୫ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଭଳି ଅନେକ ରାସ୍ତାର ସମ୍ପ୍ରସାରଣ ଓ ଉଚ୍ଚତା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି ।

ସବୁଠାରୁ ବଡ଼ କଥା ହେଉଛି ଟିକରପଡା ରାସ୍ତାର କରଡାପଡା ଠାରୁ ମଝିପଡା ରାସ୍ତାର ଏକ ନାଳ ଉପରେ ବନ୍ୟା ସମୟରେ ୧୦ ଫୁଟରୁ ଅଧିକ ପାଣି ଜମି ରୁହେ । ତେଣୁ ୪ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୁଏ । ସେହି ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ୫କୋଟି ୮୫ଲକ୍ଷ ଏବଂ ସେହି ପୋଲ ଠାରୁ ମଝିପଡା ପର୍ଯ୍ୟନ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ପାଇଁ ୨୦କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନର ସ୍ଥାନୀୟ ବିଧାୟକ ସବୁ ଗାଁକୁ ବୁଲି ଲୋକଙ୍କର ଅସୁବିଧା ଦେଖିଥିଲେ । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି ।

ସାତକୋଶିଆ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ଆଉ ବନ୍ୟା ହେଲେ ବିଛିନ୍ନ ହେବାର ଭୟ ନାହିଁ । ଗାଁ ଗାଁକୁ ଏଥର ପହଞ୍ଚି ପାରିବ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି । ଲୋକଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିପାରିବ ।

ଇଟିଭି ଭାରତ, ଅନୁଗୋଳ

Last Updated : Mar 3, 2023, 5:18 PM IST

ABOUT THE AUTHOR

...view details