ଓଡିଶା

odisha

ETV Bharat / state

ଜଳ ସଂରକ୍ଷଣ ପରେ ଫିଟିଛି ରୋଜଗାରର ବାଟ, ସରିଛି ଦାଦନ ଦୁଃଖ - ଗେଧିଲିମୁଣ୍ଡା

ଦିନେ ପଡିଆ ପଡୁଥିବା ଜମି ଏବେ ଶସ୍ୟ ଶ୍ୟାମଳା । ପାଣି ଅଭାବରୁ ଚାଷ କରି ନ ପାରି ଦାଦନ ଖଟିବାକୁ ଯାଉଥିବା ଲୋକ ଏବେ ଗାଁରେ କରୁଛି ରୋଜଗାର । ପାହାଡରୁ ଝରୁଥିବା ପାଣିକୁ ସଂରକ୍ଷଣ କରି ଏକର ଏକର ଜମିରେ ସୁନାର ଫସଲ ଫଳାଉଛନ୍ତି ଅନୁଗୋଳର ଆଠମଲ୍ଲିକ ଅଞ୍ଚଳର ତିନି ଗାଁ ଲୋକେ । ଅଧିକ ପଢନ୍ତୁ...

ଜଳ ସଂରକ୍ଷଣ ପରେ ଫିଟିଛି ରୋଜଗାରର ବାଟ, ସରିଛି ଦାଦନ ଦୁଃଖ
ଜଳ ସଂରକ୍ଷଣ ପରେ ଫିଟିଛି ରୋଜଗାରର ବାଟ, ସରିଛି ଦାଦନ ଦୁଃଖ

By

Published : Oct 30, 2021, 2:20 PM IST

Updated : Oct 30, 2021, 2:43 PM IST

ଅନୁଗୋଳ: ଦିନ ଥିଲା ଶହ ଶହ ଏକର ଜମି ପଡିଆ ପଡୁଥିଲା । ଲୋକେ ଚାଷ ପାଇଁ କେବଳ ବର୍ଷା ଉପରେ ନିର୍ଭର କରୁଥିଲେ । ବର୍ଷା ନ ହେଲେ ଦୁବ କଅଁଳୁ ନଥିଲା ଜମିରେ । ଜମି ଥାଇ ମଧ୍ୟ ଲୋକେ ବେକାର ହୋଇ ବସୁଥିଲେ । ପେଟ ପୋଷିବା ପାଇଁ ଶେଷରେ ମୂଳ ମଜୁରୀ କରୁଥିଲେ ନଚେତ୍ ଦାଦନ ଖଟିବାକୁ ବାହାରକୁ ଯାଉଥିଲେ । ହେଲେ ୫ ବର୍ଷ ହେଲା ସ୍ଥିତି ବଦଳିଯାଇଛି । ଚାରିଆଡେ ସବୁଜିମାରେ ଭରି ଯାଇଛି । ନିଜସ୍ବ ଉଦ୍ୟମରେ ପାହାଡରୁ ଝରୁଥିବା ପାଣିକୁ ସଂରକ୍ଷଣ କରି ଏବଂ ତାହାକୁ ଚାଷ କାର୍ଯ୍ୟରେ ଲଗାଇ ଏବେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଗ୍ରାମବାସୀ । ଏହି ସମ୍ଭବ କରି ଦେଖାଇଛନ୍ତି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଗେଧିଲିମୁଣ୍ଡା, ବରଢ଼ିପ ଓ ଉଛକୁରୁମ ଗାଁ ଲୋକେ ।

ଜଳ ସଂରକ୍ଷଣ ପରେ ଫିଟିଛି ରୋଜଗାରର ବାଟ, ସରିଛି ଦାଦନ ଦୁଃଖ

ପର୍ଯ୍ୟାପ୍ତ ପାଣି ଅଭାବରୁ ଗେଧିଲିମୁଣ୍ଡା ଗାଁ ଲୋକେ ବାଧ୍ୟ ହୋଇ କାମଧନ୍ଦା କରିବାକୁ ବାହାରକୁ ଚାଲି ଯାଉଥିଲେ । କେବଳ ଗେଧିଲିମୁଣ୍ଡା ନୁହେଁ, ବରଢ଼ିପ ଓ ଉଛକୁରୁମ ଗାଁରେ ମଧ୍ୟ ସମାନ ସ୍ଥିତି ରହିଥିଲା । ହେଲେ ଶେଷରେ ଗ୍ରାମବାସୀ ଗୋଷ୍ଠୀଗତ ଉଦ୍ୟମରେ ପାହାଡରୁ ବହି ଯାଉଥିବା ବର୍ଷା ଜଳକୁ ସଂରକ୍ଷଣ କରିବାକୁ ଚିନ୍ତା କରିଥିଲେ । ଗ୍ରାମବାସୀଙ୍କ ଏହି କାର୍ଯ୍ୟରେ FES ନାମକ ଏକ ବେସରକାରୀ ସଂସ୍ଥା ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିଲା । FES ସହଯୋଗରେ ଲୋକେ ପଥର ବନ୍ଧ ଓ ଛକ ବନ୍ଧ ଜରିଆରେ ପାହାଡରୁ ଆସୁଥିବା ପାଣିକୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା କରିଥିଲେ । ଏଥିସହ ପୋଖରୀ ଖୋଳି ଜଳ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଫଳସୂରୁପ, ଦିନେ ପଡିଆ ପଡୁଥିବା ଅଞ୍ଚଳ ଏବେ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ ହୋଇଛି ।

ସଂରକ୍ଷିତ ଜଳର ବ୍ୟବାହରରେ ସ୍ଥାନୀୟ ଅଞ୍ଚଳରେ ଭଳ ଫସଲ ଅମଳ ହେଉଛି । ବର୍ଷା ସାରା ପୋଖରୀରେ ପାଣି ରହୁଛି । ଏହି ପୋଖରୀ ଚାରିପଟେ ଶହ ଶହ ଏକର ଜମିରେ ଲୋକେ ଧାନ ଚାଷ କରୁଛନ୍ତି । ପୋଖରୀରେ ପାଣି ରହୁଥିବାରୁ ଭୂତଳ ଜଳ ସ୍ତର ବଢିଛି । ତେଣୁ ବିଭିନ୍ନ ସ୍ଥାନରେ ଲୋକେ କୂଅ ଖୋଳିଛନ୍ତି । କୂଅରୁ ପମ୍ପ ଲଗାଇ, ତେଣ୍ଡା ସାହାଯ୍ୟରେ ପାଣି ମଡ଼ାଇ କୋବି, ବାଇଗଣ, ଟମାଟୋ, ପିଆଜ, ରସୁଣ, ଝୁଡଙ୍ଗ ଓ ଅନ୍ୟାନ୍ୟ ପନିପରିବା ଫସଲ କରୁଛନ୍ତି । ବିଭିନ୍ନ ଡାଲି ଜାତୀୟ ଓ ତୈଳ ବୀଜ ଫସଲ ମଧ୍ୟ କରୁଛନ୍ତି ।

ଖରାଦିନେ ମଧ୍ୟ ଆଉ ପାଣିର କୌଣସି ଅସୁବିଧା ରହୁନାହିଁ । ଚାଷରୁ ଭଲ ଦୁଇ ପଇସା ରୋଜଗାର ହେବା ପରେ ଲୋକଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିଛି । ଏହି ଅଞ୍ଚଳର ଲୋକଙ୍କ କାମ ପାଇଁ ଆଉ ଦାଦନ ଖଟିବାକୁ ପଡୁନାହିଁ । ସତରେ ଏହି ତିନି ଗାଁର ଲୋକେ ଜଳ ସଂରକ୍ଷଣ କରି ସଫଳତାର ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 30, 2021, 2:43 PM IST

ABOUT THE AUTHOR

...view details