ଅନୁଗୋଳ: କୋରୋନା କଟକଣା ଯୋଗୁଁ ଯେଉଁଠି ମଣିଷ ଗଣ୍ଡେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ସେଠି ପଶୁପକ୍ଷୀ କଥା କିଏ ପଚାରେ । ଏଭଳି ସ୍ଥିତିରେ ପ୍ରାୟ ଏକ ହଜାର ଗାଇଙ୍କୁ ଖାଇବା ଦେଇ ବଞ୍ଚାଇ ରଖିଛନ୍ତି କିଛି ଗୋ ସେବକ । ପେସା ବ୍ୟବସାୟ ହେଲେ ବି ଗୋ ସେବାକୁ ଧର୍ମ ଭାବେ ବାଛି ନେଇ ନିରନ୍ତର ଗାଈ ଗୋରୁଙ୍କ ସେବା କରି ଆସୁଛନ୍ତି । କେବଳ ଖାଇବା ନୁହେଁ ସେମାନଙ୍କର ଚିକିତ୍ସା, ଔଷଧ ଏବଂ ସେବାରେ ଲାଗିଥିବା ୩୦ରୁ ଅଧିକ କର୍ମଚାରୀଙ୍କ ଦରମା ମଧ୍ୟ ଦେଉଛନ୍ତି ।
ପେସା ଯାହା ହେଉନା କାହିଁକି ନିଶା ହେଉଛି ଗୋ ସେବା । ସତେଯେମିତି ଗୋ ସେବାକୁ ନିଜର ଧର୍ମ ଭାବେ ଆଦରି ନେଇଛନ୍ତି ଅନୁଗୋଳ ଜିଲ୍ଲାର କିଛି ଉଦୀୟମାନ ବ୍ୟବସାୟୀ । ନିରନ୍ତର ଗୋ ସେବାରେ ନିଜକୁ ବ୍ରତୀ କରିଛନ୍ତି ଏମାନେ । ସହର ଠାରୁ ଅଳ୍ପ ଦୂରରେ ରନ୍ତଲେଇ ଠାରେ ଥିବା ଶ୍ରୀଗୋପାଳ ଗୋଶାଳା ସ୍ଥାପନା କରି ସେଠାରେ ନିଜ ଖର୍ଚ୍ଚରେ ଗୋରୁ ଗାଈଙ୍କ ସେବା ଦୀର୍ଘ ୨୦ ବର୍ଷ ହେବ କରି ଆସୁଛନ୍ତି । ଗାଈମାନଙ୍କ ଯତ୍ନ ନେବା ପାଇଁ ୩୦ରୁ ଅଧିକ କର୍ମଚାରୀ ନିୟୋଜିତ କରିବା ସହ ଖାଦ୍ୟ ପାଇଁ ଘାସ ଚାଷ ମଧ୍ୟ କରିଛନ୍ତି ।