ଅନୁଗୋଳ: କଥାରେ ଅଛି ବିପଦ ଯେତେବେଳେ ଆସେ ସଖା ସହଦୋରଙ୍କୁ ସାଙ୍ଗରେ ଧରି ଆସେ । ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ପ୍ରିୟବନ୍ଧୁଙ୍କ ପରିବାରରେ । ପ୍ରିୟଙ୍କ ବଡ଼ପୁଅ ଦିବ୍ୟାଙ୍ଗ । ଜମିବାଡ଼ି ବିକ୍ରିକରି ଚିକିତ୍ସା କରାଇବା ପରେ ମଧ୍ୟ କିଛି ଲାଭ ହେଲା ନାହିଁ । ଏବେ ପ୍ରିୟଙ୍କ କିଡ଼ନୀ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା କରିବାକୁ ଅର୍ଥ ନାହିଁ କି କୌଣସି ସରକାରୀ ସହାୟତା ନାହିଁ ।
ଜିଲ୍ଲାର ବଅଁରପାଳ ବ୍ଳକର ସାନ୍ତରାପୁର ନୂଆସାହି ଗାଁ । ବସବାସ କରନ୍ତି ପ୍ରିୟବନ୍ଧୁ ସାହୁ ଓ ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଏକମାତ୍ର ଝିଅ । ଝାଟିମାଟି କୁଡ଼ିଆ ଘର ଖଣ୍ଡକ ଛାଡ଼ିଦେଲେ ଆଉ କିଛି ସମ୍ବଳ ନାହିଁ । ଜନ୍ମରୁ ପ୍ରିୟଙ୍କ ବଡପୁଅ ଦିବ୍ୟାଙ୍ଗ । ଘର ଡିହ ବିକି ଚିକିତ୍ସା କଲେ ବି କିଛି ସୁଫଳ ମିଳିନଥିଲା । ଏତିକିରେ ଦୁଃଖ ସରିନଥିଲା । ନିଜେ ପ୍ରିୟବନ୍ଧୁ ଏବେ କିଡ଼ନୀ ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସବୁ ପୁଞ୍ଜି ସରିବା ପରେ ସାହାରା ହୋଇଥିଲା ନିରାମୟ କେନ୍ଦ୍ର । ମାତ୍ର ସେଠାରେ ସେହି ଔଷଧ ମିଳୁନି । ଯାହାକୁ ନେଇ ଚିନ୍ତାରେ ପରିବାର ।