ଅନୁଗୋଳ: ଆସନ୍ତାକାଲି (ରବିବାର) ଠାରୁ ଅଙ୍ଗାରବନ୍ଧ ଠାରେ ଥିବା ପ୍ରସିଦ୍ଧ ମହିମା ଗାଦିରେ ଆରମ୍ଭ ହେବ ଆନ୍ତର୍ଜାତିକ ମହିମା ଉତ୍ସବ । ଏନେଇ ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ମହିମା ଗାଦି । ରବିବାର ଆରମ୍ଭ ହେବାକୁ ଥିବା ଉତ୍ସବରେ ବାଂଲାଦେଶ ଓ ନେପାଳର ବହୁ କଳାକାର ସାମିଲ ହେବେ । ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ସଙ୍ଗୀତରେ ମୁଖରିତ ହେବ ମହିମା ଧାମ ।
ତିନି ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ହେବାକୁ ଥିବା ବେଳେ ଆସନ୍ତା 7 ତାରିଖରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏନେଇ ଗତକାଲି(ଶୁକ୍ରବାର) ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ ଏବଂ ମହିମା ଧାମର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
୩ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଉପ ବାଚସ୍ପତି ସାମିଲ ହେବା ନେଇ ସୂଚନା ମିଳିଛି । ସେହିପରି ଦ୍ଵିତୀୟ ଓ ୩ୟ ଦିନରେ ଡିଆଇଜି, ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ପଦାଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଉତ୍ସବରେ ବାଂଲାଦେଶ, ନେପାଳ ସମେତ କଲିକତା ଓ ରାଜ୍ୟ ବାହାରର ବଛା ବଛା କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଉତ୍ସବ ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ହେବା ନେଇ ଆଶା କରାଯାଉଛି ।