ଓଡିଶା

odisha

By

Published : Feb 5, 2023, 10:24 AM IST

Updated : Feb 6, 2023, 7:19 AM IST

ETV Bharat / state

ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ମହିମା ଧାମ ଅଙ୍ଗାରବନ୍ଧ

ରାଜ୍ୟର ଦ୍ବିତୀୟ ଯୋରନ୍ଦା କୁହାଯାଉଥିବା ଅନୁଗୋଳର ଅଙ୍ଗାରବନ୍ଧ ମହିମା ଧାମରେ ମାଘମେଳା ଆରମ୍ଭ । ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ଅଙ୍ଗାରବନ୍ଧ । ଅଧିକ ପଢନ୍ତୁ

ଅଙ୍ଗାରବନ୍ଧ ମହିମା ଧାମରେ ମାଘମେଳା
ଅଙ୍ଗାରବନ୍ଧ ମହିମା ଧାମରେ ମାଘମେଳା

ଅଙ୍ଗାରବନ୍ଧ ମହିମା ଧାମରେ ମାଘମେଳା

ଅନୁଗୋଳ:ସମାଜରେ କୌଣସି ମଣିଷ ଛୋଟ ନୁହେଁ କି ବଡ ନୁହେଁ । ମଣିଷ ଜାତି ହିଁ ଶ୍ରେଷ୍ଠ ଜାତି । ଏଥିରେ ନାହିଁ ଭେଦଭାବ । ଏହିଭଳି ଏକ ମହତ ବାର୍ତ୍ତା ପ୍ରଚାର କରିଥିଲେ ମହିମା ଗୋସାଇଁ । ଯାହାଙ୍କ ଆଦର୍ଶରେ ଆଜି ବି ବଞ୍ଚିରହିଛି ମହିମା ଧର୍ମ । କାହିଁ କେଉଁ କାଳରୁ ମହିମା ଧର୍ମକୁ ବଞ୍ଚାଇ ରଖିଥିବା ଲୋକେ ନିଜ ଗୁରୁଙ୍କ ଅଜ୍ଞାଙ୍କୁ ଅବଜ୍ଞା କରିନାହାଁନ୍ତି । ପ୍ରତିବର୍ଷ ମାଘ ମାସ ଚତୁର୍ଦଶୀ ଆସିଲେ ଅନୁଗୋଳରେ ଥିବା ମହିମା ଗୋସାଇଁଙ୍କ ଅଙ୍ଗାରବନ୍ଧ ଧାମ ଚଳଚଞ୍ଚଳ ହୋଇଉଠେ । ଯାହାକି ଦ୍ବିତୀୟ ଯୋରନ୍ଦାର ପରିଚୟ ପାଇଛି ।


ମାନବବାଦ ଉପରେ ପର୍ଯ୍ୟବେସିତ ମହିମା ଧର୍ମ । ମାନବବାଦ ଶ୍ରେଷ୍ଠ ଧର୍ମ । ସାରା ବିଶ୍ବକୁ ଏହି ମହନୀୟ ବାର୍ତ୍ତା ଦେଉଥିବା ମହିମା ଧର୍ମୀଙ୍କ ପୀଠସ୍ଥଳୀ ଭାବେ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ଗାଦି ପରେ ଆଉ ଏକ ମହିମା ଗାଦି ରହିଛି ଅନୁଗୋଳ ଜିଲ୍ଲାରେ । ମହିମା ଧାମ ଅଙ୍ଗାରବନ୍ଧ ଭାବେ ଏହି ଗାଦିର ବେଶ୍ ମାହାତ୍ମ୍ୟ ରହିଛି । ଭକ୍ତମାନଙ୍କ ଯୁକ୍ତିରେ ଏହା ହେଉଛି ମହିମା ଗୋସାଇଁଙ୍କ ଖେଳ ସ୍ଥାନ । ଅର୍ଥାତ ଯୋରନ୍ଦା ଯିବା ପୂର୍ବରୁ ପ୍ରାୟ ୧୫୬ ବର୍ଷ ତଳେ ୧୮୬୪ ମସିହାରେ ନିଜେ ମହିମା ଗୋସାଇଁ ଅଙ୍ଗାରବନ୍ଧ ଆସି ଗାଁର ୧୬ଟି ପରିବାରକୁ ସିଧାସଳଖ ଦୀକ୍ଷିତ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ଧାମ ତାଙ୍କର ଖେଳ ଧାମ ବା ଦ୍ଵିତୀୟ ଯୋରନ୍ଦା ଭାବେ ପ୍ରସିଦ୍ଧି ଅର୍ଜନ କରିଛି ।

ପ୍ରତିବର୍ଷ ମାଘ ମାସ ଚତୁଦ୍ଦର୍ଶୀ ତିଥିରେ ଅଙ୍ଗାରବନ୍ଧ ଧାମ ଠାରେ ମଧ୍ୟ ମାଘମେଳା ପାଳିତ ହୁଏ । ଚଳିତ ବର୍ଷ ଏହି ଗାଦିରେ ୧୬୦ତମ ଉତ୍ସବ ପାଳିତ ହେଉଛି । ନୀତି ନିର୍ଘଣ୍ଟ ଅନୁସାରେ ବିଶ୍ଵର କଲ୍ୟାଣ ନିମନ୍ତେ ଅଖଣ୍ଡ ଜ୍ୟୋତି ସ୍ଥାପନ ସହ ଝାଡ଼ଦୀପ ମଧ୍ୟ ଗାଦି ମନ୍ଦିରରେ ପ୍ରଜ୍ଜ୍ବଳିତ ହୋଇଛି । ଏହା ଦେଖିବା ପାଇଁ ମହିମା ଧର୍ମାବଲମ୍ବୀଙ୍କ ସହ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଚାରି ଦିନ ଧରି ଏଠାରେ ଏହି ମାଘମେଳା ଚାଲିବ ।

ବିଶ୍ବାସ ରହିଛି ଏଠାରେ ଯିଏ ଯାହା ମାନସିକ କାରେ ତାହା ପୂରଣ ହୁଏ । ମେଳା ପାଇଁ ଏଠାକୁ ମଧ୍ୟ ବହୁ ଦୂରଦୂରାନ୍ତରୁ ମହିମା ଧର୍ମୀ ଓ ସାଧୁସନ୍ଥ ଆସିଛନ୍ତି । ଏଥିପାଇଁ ଗାଦି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳର ଏହି ମହିମା ଧାମକୁ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ସନ୍ଧ୍ୟାରେ ଅନ୍ତର୍ଜାତୀୟ ମହିମା ମହୋତ୍ସବର ଆରମ୍ଭ ହେବ ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 6, 2023, 7:19 AM IST

ABOUT THE AUTHOR

...view details