ଅନୁଗୋଳ: କୋରୋନା ମହାମାରୀର ଭୟ ସତେ ଯେମିତି ସମାଜରୁ ମଣିଷ ପଣିଆକୁ ଛଡ଼ାଇ ନେଲାଣି । ଜୀବିକା ଯିବାପରେ, ପେଟ ଚାଖଣ୍ଡକ ପାଇଁ କରିବାକୁ ପଡୁଛି ଅନେକ ସଂଘର୍ଷ । ରୋଜଗାର ଆଶାରେ ସହରମୁହାଁ ହୋଇଥିଲେ ଅନୁଗୋଳ ଜିଲ୍ଲା ତଳମୁଳ ଅଞ୍ଚଳର ବୃହସ୍ପତି ରାୟ ଓ ତାଙ୍କ ପତ୍ନୀ ସୁଫଳା । ତେବେ ଲକଡାଉନ ଯୋଗୁଁ ଗାଁକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଗାଁ ଲୋକେ ଗ୍ରହଣ କରୁନାହାଁନ୍ତି ।
ଏପଟେ ସହରରେ ରହୁଥିବା ଭଡାଘରେ ଭଡାଟଙ୍କା ବାକି ଥିବାରୁ ଘର ମାଲିକ ଘରୁ ବାହାର କରିଦେଇଛି । ଶିଶୁ ଜନ୍ମ ପାଇଁ ଏହି ଅସହାୟ ଦମ୍ପତ୍ତି ହସ୍ପିଟାଲ ଯାଇ ଫେରିବା ପରେ ଆଉ ମାଲିକ ଘରେ ପୁରାଇ ଦେଲା ନାହିଁ । ଖାଲି ସେତିକି ନୁହେଁ ଭଡା ଦେଇ ନଥିବାରୁ ଭଡା ବାବଦକୁ ମାଲିକ ସମସ୍ତ ଆସବାଵ ପତ୍ର ମଧ୍ୟ ରଖିଦେଇଛି ।
ଏଭଳି ପରିସ୍ଥିତି ରେ କିଛି ଉପାୟ ନପାଇ ସରକାରୀ ସାପ୍ତାହିକ ହାଟରେ ନବଜାତ ଛୁଆକୁ ଧରି ତିନିଦିନ ହେବ ଭୋକ ଉପାସରେ ଏହି ଦମ୍ପତି । ଶିଳ୍ପ ସମୃଦ୍ଧ ଅନୁଗୋଳ ସହରରେ ଶକ୍ତ ଲୁହା ଭଳି ସତେ ଯେମିତି ସମସ୍ତଙ୍କ ହୃଦୟ ଟାଣ ହୋଇଯାଇଛି ।