ଅନୁଗୋଳ :ଚାଷୀକୁ କଚାଡ଼ି ମାରିଦେଲା ହାତୀ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ପୁରୁଣାମାଣିତ୍ରୀ ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ (Farmer dies by elephant attack)। ମୃତ ଚାଷୀ ଜଣକ ହେଲେ ରମେଶ ସାହୁ। ଗତକାଲି (ରବିବାର) ରାତିରେ ରମେଶ ନିଜ କ୍ଷେତରେ ଧାନ ଫସଲ ଜଗିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ବନବିଭାଗର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ବର୍ଗକୁ ସହାୟତା ଦାବି କରି ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି ।
ସୂଚନାନୁସାରେ ଗତକାଲି (ରବିବାର) ରାତିରେ ରମେଶ ନିଜ କ୍ଷେତରେ ଧାନ ଫସଲ ଜଗିବାକୁ ଯାଇଥିଲେ (elephant attack at purunamanitri village )। ସେହି ସମୟରେ ହଠାତ ଏକ ହାତୀ କ୍ଷେତ ଭିତରକୁ ପଶିଆସି ଫସଲ ଖାଉଥିଲା । ହାତୀକୁ ଦେଖି ରମେଶ ଘଉଡାଇବାକୁ ଉଦ୍ୟମ କରିଥିଲେ । ଏହାପରେ ହାତୀ ରମେଶକୁ ଗୋଡାଇଥିଲା । ଏହାପରେ ହାତୀ ଠାରୁ ନିଜକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ ରମେଶ । ହେଲେ ହାତୀଟି ରମେଶଙ୍କୁ ଟାଣି ନେଇ ଶୁଣ୍ଢରେ କଚାଡ଼ି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ପଡ଼ି ରହିଥିଲେ ରମେଶ ।
ଆଜି ଭୋର ସକାଳୁ ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ରମେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ରମେଶଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାର ପ୍ରତିବାଦରେ ଆଜି ସକାଳେ ମୃତ ରମେଶଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ପୁରୁଣା ମଣିତ୍ରୀ ଛକ ନିକଟରେ ୬୨ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।