ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ଡିକି ଲୁଟେରା । ଜନ ଗହଳିପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ସୋମବାର ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ତାଳଚେର SBI ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ତାଙ୍କ ମୋଟର ସାଇକେଲ ଡିକିରେ ଟଙ୍କା ରଖିଥିଲେ ।
ସେଠାରୁ ସେ ଏକ ହାର୍ଡୱେୟାର ଦୋକାନ ସାମନାରେ ମୋଟରସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଡିକି ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଥିଲେ । ବିଦୂସ ଆସି ଦେଖିବା ବେଳେ ଟଙ୍କା ନଥିବାରୁ ଦୋକାନ ସିସି ଟିଭି ଚେକ କରିଥିଲେ । ସିସି ଟିଭିରେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମୋଟର ସାଇକେଲରେ ଅପେକ୍ଷା କରି ରହିଥିଲା । ଆଉ ପ୍ରଥମ ଯୁବକ ଜଣଙ୍କ ଟଙ୍କା ନେଇ ଯିବା ପରେ ଅନ୍ୟ ଯୁବକଙ୍କ ସହ ମୋଟର ସାଇକେଲରେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି ।