ଅନୁଗୋଳ:ନିର୍ବାଚନ ପୂର୍ବରୁ ଛେଣ୍ଡିପଦାରେ ବଢୁଛି ବିଜେପି ଚାପ । ଦଳୀୟ ନେତା ମାନେ ଦଳୀୟ ପ୍ରାର୍ଥୀଙ୍କୁ କଲେଣି ବିରୋଧ । କଂଗ୍ରେସରୁ ଆସି ବିଜେପିରେ ପତିଆରା ଜାହିର କରିଥିବା ନେତାଙ୍କୁ ମୂଳ ବିଜେପି ନେତା ମାନେ କଲେଣି ବିରୋଧ । ଛେଣ୍ଡିପଦାରେ ଛିଣ୍ଡିବା ଦ୍ବାରରେ ବିଜେପି । ଟିକେଟ ପାଇଁ ସଂଗଠନରେ ସୃଷ୍ଟି ହେଉଛି ସଙ୍କଟ । ଲଢ଼େଇ ପୂର୍ବରୁ ଘର ଭିତରେ ପରସ୍ପର ବିରୋଧରେ ଲଢୁଛନ୍ତି ବିଜେପି ଯୋଦ୍ଧା । ଆମଦାନୀ ନେତାଙ୍କୁ ବରଦାସ୍ତ ମୁଡ୍ରେ ନାହାଁନ୍ତି ବିଜେପି କ୍ୟାଡର । ଛେଣ୍ଡିପଦା ସ୍ଥିତି ଦେଖି ଚାପରେ ଏବେ ରାଜ୍ୟ ନେତୃତ୍ବ । ଏହାକୁ ନେଇ ଏବେ ସରଗରମ ଛେଣ୍ଡିପଦା ରାଜନୀତି ।
ଅଧିକ ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍ ?
ଆଉ ମାତ୍ର ମାସ କେଇଟା ପରେ ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ, ନେତା ଓ କର୍ମୀ ତତ୍ପର । ରାଜନୈତିକ ଦଳଗୁଡ଼ିକ ନିଜର ସଂଗଠନ ସୁଦୃଢ଼ କରିବାରେ ବ୍ୟସ୍ତ । ନେତା ଓ କର୍ମୀଙ୍କ ମଧ୍ୟରେ ସଭା ସମିତି ଯୋରଦାର ହୋଇଛି । ନିର୍ବାଚନୀ ରଣକୌଶଳ ପ୍ରସ୍ତୁତ ହେଉଛି । ହେଲେ ଏଭଳି ସମୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ଏକ ବାତାବରଣ । ବିଜେପିର ୩ଜଣ ପୂର୍ବତନ ବିଧାୟକ ପ୍ରାର୍ଥୀ ସଞ୍ଜୟ ନାଏକ, ସନ୍ତୋଷ ନାଏକ ଓ ଗୋବିନ୍ଦ ନାଏକ ଦଳୀୟ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜ ନିଜର ସମର୍ଥକମାନଙ୍କୁ ନେଇ ବୈଠକ ପରେ ବୈଠକ କରୁଛନ୍ତି । ଆସନ୍ତା ନିର୍ବାଚନରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦଳ ଟିକେଟ ନଦେଲେ ନିଶ୍ଚିତ ଭାବେ ବିକଳ୍ପ ଚିନ୍ତା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏହି ତିନି ପୂର୍ବତନ ବିଧାୟକ ପ୍ରାର୍ଥୀ । ଏହାକୁ ନେଇ ଏବେ ବିଜେପି ଭିତରେ ଜାରି ରହିଛି ଆଲୋଚନା ଓ ପର୍ଯ୍ୟାଲୋଚନା ।
ଗତ 2019ରେ ଛେଣ୍ଡିପଦା ବିଜେପି ପ୍ରାର୍ଥୀ ହୋଇଥିଲେ ଅଗସ୍ତି ବେହେରା । ମୂଳତଃ କଂଗ୍ରେସରୁ ଆସିଥିବା ଅଗସ୍ତି 2009 ଓ 2014 ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ୨୦୧୭ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରିଥିଲା । ସେତେବେଳ ଯଦିଓ ଅଗସ୍ତିଙ୍କୁ ମୂଳ ବିଜେପି ନେତା ସଞ୍ଜୟ ନାଏକ, ସନ୍ତୋଷ ନାଏକ ସମର୍ଥନ କରିଥିଲେ, ହେଲେ ଏବେ ବିରୋଧ ଆରମ୍ଭ କରିଛନ୍ତି। ସଞ୍ଜୟ ନାଏକ 2009ରେ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ, ସନ୍ତୋଷ ନାଏକ ୨୦୧୪ର ପ୍ରାର୍ଥୀ । ଏବେ ସନ୍ତୋଷ ସଞ୍ଜୟଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଆଉ ଜଣେ ବରିଷ୍ଠ ନେତା ଗୋବିନ୍ଦ ନାଏକ । ଗୋବିନ୍ଦ 2009 ଓ 2014ରେ ବିଏସ୍ପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ । ପରେ ବିଜେପିରେ ସାମିଲ ହୋଇ ସକ୍ରିୟ ଭାବେ କାମ କରୁଛନ୍ତି । ଏହି 3 ନେତାଙ୍କ ଅଭିଯୋଗ ଦଳ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ । ସାଂଗଠନିକ କାର୍ଯ୍ୟରେ ସାମିଲ କରୁନାହିଁ ।