ଓଡିଶା

odisha

By

Published : Dec 10, 2019, 11:09 PM IST

ETV Bharat / state

ପିକନିକ ସ୍ପଟରେ ପାଦ ଦେଉନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ଛୋଟକେଇ ଗାଁ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସ୍ଥିତ ଛୋଟକେଇ ଠାରେ 2011ରେ ଆରମ୍ଭ ହୋଇଥିଲା ପ୍ରକୃତି ନିବାସ । ଇଂଲଣ୍ଡରୁ 4ଜଣ ବୈଜ୍ଞାନିକ ଆସି 50ଲକ୍ଷ ଟଙ୍କା ବ୍ୟୟରେ ପାହାଡ଼ ଉପରେ ନିର୍ମାଣ କରିଥିଲେ 5ଟି ବାଉଁଶ କଟେଜ । 2015 ପର୍ଯ୍ୟନ୍ତ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ । କିନ୍ତୁ ସଠିକ ପରିଚାଳନା ଅଭାବରୁ ଜରାଜୀର୍ଣ୍ଣ ଏହି କଟେଜ ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । ଅଧିକ ପଢ଼ନ୍ତୁ...

chhotkei nature camp, satkosia wildlife sanctuary, chhotkei nature camp loosing it's identity, ଛୋଟକେଇ ପ୍ରକୃତି ନିବାସର ପରିଚୟ, ସାତକୋଶିଆ ସ୍ଥିତ ଛୋଟକେଇ, ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ
ପିକନିକ ସ୍ପଟରେ ପାଦ ଦେଉନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ଛୋଟକେଇ ଗାଁ

ଅନୁଗୋଳ: ଇକୋ ଟୁରିଜିମର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ରାଜସ୍ବ ଆଦାୟ ହେବ ଏବଂ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ। କିନ୍ତୁ ପରିଚାଳନା ତୃଟି ଯୋଗୁଁ ଅନେକ ସ୍ଥାନରେ ଏହା ଫେଲ ମାରୁଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ । ସାତକୋଶିଆ ସ୍ଥିତ ଛୋଟକେଇ ଠାରେ 2011ରେ ଆରମ୍ଭ କରା ଯାଇଥିଲା ପ୍ରକୃତି ନିବାସ । ଅବହେଳା କରଣରୁ କିନ୍ତୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ।

ପିକନିକ ସ୍ପଟରେ ପାଦ ଦେଉନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ଛୋଟକେଇ ଗାଁ

ପର୍ଯ୍ୟଟନର ବିକାଶ ପାଇଁ ଗତ 2011ରେ ଛୋଟକେଇ ଠାରେ ଆରମ୍ଭ ହୋଇଥିଲା ପ୍ରକୃତି ନିବାସ । ସେତେବେଳେ ଇଂଲଣ୍ଡରୁ 4ଜଣ ବୈଜ୍ଞାନିକ ଆସି ପ୍ରାୟ 6ମାସ ଏଠାରେ ରହି ବାଉଁଶରେ କଟେଜ ତିଆରି କରିଥିଲେ । ମେଘାଳୟରୁ ସ୍ବତନ୍ତ୍ର ଧରଣର ବାଉଁଶ ଅଣା ଯାଇଥିଲା । ପ୍ରତି କଟେଜରେ ଶୋଇବା ଘର, ପାଇଖାନା, ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଏଥି ପାଇଁ ସେତେବେଳେ ପ୍ରାୟ 50ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସାତକୋଶିଆ ଅଭୟାରଣ୍ୟ ଭିତରେ ଏକ ପାହାଡ଼ ଉପରେ ନିର୍ମାଣ କରା ଯାଇଥିଲା 5ଟି ବାଉଁସ କଟେଜ । ଚାରିଆଡ଼େ ଘଞ୍ଚ ଜଙ୍ଗଲ, ସବୁଜିମା ଓ ସାତକୋଶିଆର ଶାନ୍ତ ପରିବେଶ ଦର୍ଶକଙ୍କୁ ବେଶ ଆକର୍ଷିତ କରେ । ଜଙ୍ଗଲ ଭିତରେ ଟ୍ରାକିଂ, ହରିଣ, କୁଟୁରା, ହାତୀ ପରି ବନ୍ୟଜନ୍ତୁ ଦେଖିବାକୁ ସୁଯୋଗ ପାଉଥିଲେ ପର୍ଯ୍ୟଟକ ।

2015 ପର୍ଯ୍ୟନ୍ତ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ । ସେତେବେଳେ ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅଧିନରେ ଏହି ପ୍ରକୃତି ନିବାସ ଥିଲା । ଏହାକୁ ପରିଚାଳନା କରିବା ପାଇଁ ଗାଁର 14ଟି ପରିବାରକୁ ଦାୟିତ୍ବ ଦିଆ ଯାଇଥିଲା । ଏଥିରୁ ମିଳୁଥିବା ଅର୍ଥର ଶତକଡ଼ା 35ଭାଗ ଏହି 14ଟି ପରିବାରକୁ ମିଳୁଥିବା ବେଳେ ଗାଁର ଉନ୍ନତି ପାଇଁ ଶତକଡ଼ା 10ଭାଗ ଦିଆ ଯାଉଥିଲା । ତେଣୁ ଗାଁର 96ଟି ପରିବାରକୁ 10ଲକ୍ଷ ଟଙ୍କା ବ୍ୟୟରେ ଆଜବେଷ୍ଟସ ଦିଆ ଯାଇଥିଲା । ଏବେ ବି ଗାଁର ପ୍ରାୟ 6ଲକ୍ଷ ଟଙ୍କା ଜମା ରହିଛି । ଏହାଛଡ଼ା ପରିଚାଳନା କରୁଥିବା ପରିବାର ମାନେ ଏଥିରୁ ସେମାନଙ୍କ ପରିବାର ପ୍ରତି ପୋଷଣ କରି ଆସୁଛନ୍ତି । ପର୍ଯ୍ୟଟକଙ୍କ ଚାହିଦା ଅନୁସାରେ ସେଠାରେ ଆଉ 5ଟି ଟେଣ୍ଟ ମଧ୍ୟ କରା ଯାଇଥିଲା । 2015 ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ସିଧା ସଳଖ ପରିଚାଳନା କରୁଥିବା ସଦସ୍ୟ କିମ୍ବା ସାତକୋଶିଆ କାର୍ଯ୍ୟାଳୟରେ ବୁକିଂ କରି ପାରୁଥିଲେ । ସବୁ କିଛି ଠିକ ଚାଲିଥିଲା । କିନ୍ତୁ 2017ରେ ଓଏଫଡ଼ିସି ଏହି ପ୍ରକୃତି ନିବାସ ହାତକୁ ନେବାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ ।

ପ୍ରଥମେ ପ୍ରତି କଟେଜକୁ 2500 ଟଙ୍କା ଥିଲା । ଓଏଫଡ଼ିସି ହାତକୁ ନେବା ପରେ ଟ୍ୟାକ୍ସ ସହ ପ୍ରାୟ 4000 ଟଙ୍କାକୁ ବୃଦ୍ଧି ପାଇଛି ଦର । ଏହାଛଡ଼ା ବ୍ୟାଘ୍ର ପ୍ରକଳ୍ପ କଟକଣା ଯୋଗୁ ପର୍ଯ୍ୟଟକଙ୍କ ଜଙ୍ଗଲ ଭିତରକୁ ପ୍ରବେଶ ନିସେଦ୍ଧ ହୋଇଛି । ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଖାଇପିଇ କଟେଜରେ ରହିବା ଛଡ଼ା ଆଉ କିଛି ନାହିଁ । ଏବେ ଅନଲାଇନରେ ବୁକିଂ କରିବାକୁ ପଡୁ ଥିବାରୁ ସବୁ ସମୟରେ ସୁବିଧା ଓ ସହଜ ହେଉ ନାହିଁ । ତେଣୁ ଏବେ ପର୍ଯ୍ୟଟକ ଏଠାକୁ ଆସି ପାଇଁ ମନ ବଳାଉ ନାହାନ୍ତି । ଆଗରୁ ବିଦ୍ୟୁତ ସଂଯୋଗ ନଥିଲେ ମଧ୍ୟ ସୌର ଶକ୍ତିରେ ସବୁ କିଛି ହୋଇ ପାରୁ ଥିଲା । କିନ୍ତୁ ଦୁଇ ବର୍ଷ ହେଲାଣି ସୌର ପ୍ରକଳ୍ପ ଅଚଳ ହୋଇ ପଡ଼ିଛି । ଜେନେରେଟର ଲଗାଇବାକୁ ପଡ଼ୁଛି । ଫଳରେ ଗୋଟିଏ ରାତିରେ 16 ଲିଟରରୁ ଅଧିକ କିରୋସିନ ଖର୍ଚ୍ଚ ହେଉଛି । ଏହି କିରୋସିନ ଖର୍ଚ୍ଚ ପରିଚାଳନା କରୁଥିବା ସଦସ୍ୟ ମାନଙ୍କୁ ନିଜ ହାତରୁ ଦେବାକୁ ପଡ଼ୁଛି । ପର୍ଯ୍ୟଟକ ଆସୁନଥିବାରୁ ଲାଭାଂଶ ମଧ୍ୟ ମିଳୁନାହିଁ । ତେଣୁ ପ୍ରକୃତି ନିବାସର ରକ୍ଷଣା ବେକ୍ଷଣ କରୁଥିବା14ଟି ପରିବାର ଏବେ ହାତବାନ୍ଧି ବସିଛନ୍ତି । ତେବେ ଯଦି ଆସନ୍ତା ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ନପାଏ ତେବେ କଟେଜ ପରିଚାଳନା ଦାୟିତ୍ବରୁ ଏମାନେ ଓହରି ଯିବେ ବୋଲି କହୁଛନ୍ତି ।

ତେବେ ଏନେଇ ସାତକୋଶିଆ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି । ଓଏଫଡ଼ିସିର ଅଧିକାରୀଙ୍କର ମଧ୍ୟ ଦେଖା ନାହିଁ । ତେବେ କେବଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ସୁନ୍ଦର ପ୍ରକୃତି ନିବାସ ଆଜି ପରିଚୟ ହରାଇବାକୁ ଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details