ଓଡିଶା

odisha

ETV Bharat / state

ଶୈଳ ଶ୍ରୀକ୍ଷେତ୍ରରେ ଗଡିଲା ରଥ, ମହିଳା ଟାଣିଲେ ଦେବଦଳନ

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ରଥଯାତ୍ରା । ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଭକ୍ତ ଆଣିଛନ୍ତି ଗୁଣ୍ଡିଚା ମନ୍ଦିର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 4, 2019, 10:26 PM IST

ଅନୁଗୋଳ: ଆଷାଢ ଶୁକ୍ଳ ଦ୍ଵିତୀୟା । ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ଓଡିଶା ସମେତ ସାରା ବିଶ୍ବ ଏହି ଦିନକୁ ପାଳନ କରେ । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ରଥଯାତ୍ରା । ତିନି ରଥରେ ତିନି ଠାକୁରଙ୍କୁ ବଡ ଦାଣ୍ଡରେ ଟାଣି ଟାଣି ଭକ୍ତ ଆଣିଛନ୍ତି ଗୁଣ୍ଡିଚା ମନ୍ଦିର । ତେବେ ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବଢିଭୋରରୁ ଦ୍ବାରଫିଟା, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ଆଦି ନୀତିକାନ୍ତି ସମ୍ପୂର୍ଣ୍ଣ ହେବା ପରେ ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କର ପହଣ୍ଡି । ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ବାହାରିଥିଲେ ଧାଡିପହଣ୍ଡିରେ । ବିଧିପୂର୍ବକ ରଥରେ ଛେରା ପହଁରା ହେବାପରେ ଅପରାହ୍ନରେ ଆରମ୍ଭ ହୋଇଥିଲା ରଥଟଣା ।

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଘର ଘର ନାଦ କରି ଗଡିଥିଲା ତିନିରଥ । ଶ୍ରୀମନ୍ଦିରରୁ ଅମଲାପଡାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା ଭକ୍ତଙ୍କ ଧାଡି । ସମସ୍ତେ ଭକ୍ତି ଓ ବିନୟ ସହକାରେ ତିନିରଥକୁ ଟାଣିଥିଲେ । ପରମ୍ପରା ଅନୁଯାୟୀ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ । ରଥଟଣା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଆଜି ରଥଟଣା ପାଇଁ ପ୍ରାୟ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details