ଅନୁଗୋଳ: ଆଗକୁ ଆସୁଛି ଖରାଦିନ । ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ସଚେତନ ହୋଇଛନ୍ତି ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ଏବଂ ଆଠମଲ୍ଲିକ ବନଖଣ୍ଡର ଜଙ୍ଗଲ ଅଧ୍ୟୁଷିତ ପ୍ରାୟ ୩୦ଖଣ୍ଡ ଗାଁର ଲୋକେ । ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ସହାୟତାରେ ଲୋକେ ପାଲା ମାଧ୍ୟମରେ ଗାଁ ଗାଁରେ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ଗାଁର ମହିଳା ପୁରୁଷ ଏକାଠି ହୋଇ ଜଙ୍ଗଲରୁ ଶୁଖିଲା ପତ୍ର ସଫା କରୁଛନ୍ତି ।
ପ୍ରତି ବର୍ଷ ଖରାଦିନେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୁଏ । ଫଳରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ପୋଡି ହୋଇ ମୃତ୍ୟୁ ମୁଖରେ ପଡନ୍ତି । ବେଳେବେଳେ ଜଙ୍ଗଲ ନିଆଁ ଗାଁକୁ ମାଡି ଆସି ଘର ପୋଡି ମଧ୍ୟ ହୋଇଥାଏ । ତେଣୁ ଜଙ୍ଗଲରେ କିଭଳି ନିଆଁ ନଲାଗିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକେ । ସାତକୋଶିଆର ଟିକରପଡା ଓ ମଝିପଡା ଏବଂ ଆଠମଲ୍ଲିକ ବନଖଣ୍ଡର ପଞ୍ଚଧାରା ପର୍ବତ ପାଦଦେଶରେ ରହିଛି ୩୦ରୁ ଅଧିକ ଗାଁ । ଯେଉଁଠି ନିଆଁ ଲାଗିଲେ ଲୋକଙ୍କର ବ୍ୟାପକ କ୍ଷତି ହୁଏ । ସେହି ସବୁ ଗାଁର ଲୋକେ ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ଗାଁରେ ପାଲା ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବା ଏବଂ ନିଆଁ ଲାଗିଲେ ତୁରନ୍ତ ନିଆଁ ଲିଭାଇବା ପାଇଁ ସଚେତନ କରାଉଛନ୍ତି ।
ଜଙ୍ଗଲ ଆମର ମାଆ । ଜଙ୍ଗଲରୁ ଆମେ ହରିଡା, ବାହାଡ଼ା, ଶାଳ ପତ୍ର, ମହୁ, ଲାଖ, ଝୁଣା, ଜାଳ କାଠ ଓ ଆହୁରି ଅନେକ ଜିନିଷ ପାଉଛୁ । ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ରୁହନ୍ତି । ତେଣୁ ଜଙ୍ଗଲକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଗାଁ ଗାଁରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଗ୍ରାମବାସୀ । ଏହି ସବୁ ଗାଁ ଲୋକଙ୍କର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।